ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ସମେତ ଅନ୍ୟ ଅଞ୍ଚଳରେ ଗତ ରବିବାର ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିବା ହେତୁ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।

Advertisment

ଏହି କ୍ରମରେ ଦେଖିବାକୁ ଗଲେ ଉତ୍ତରପ୍ରଦେଶର କୁଶୀନଗର, ଗାଜିପୁର, ଦେବରିୟା, ଗୋଣ୍ଡା ଓ ଅନବେଡକର ନଗରରେ ୧୨ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।

ସେହିପରି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ରାଉର‌କେଲାରେ ବଜ୍ରପାତ ହେତୁ ୩ଜଣଙ୍କ ଜୀବନ ଚାଲି ଯାଇଛି। ଏହି ଦୁଃଖଦ ଘଟଣା ରାଉରକେଲା ନିକଟ ଲାଠିକଟା ବ୍ଲକ ଅନ୍ତର୍ଗତ ଗର୍ଜନ ପଞ୍ଚାୟତରେ ‌ଘଟିଛି।

ଏଠାରେ ସ୍ଥାନୀୟ ଦୁଇ ଦଳ ମଧ୍ୟରେ ଫୁଟବଲ୍ ମ୍ୟାଚ ଚାଲିଥିଲା । ଏହି ମ୍ୟାଚ ଦେଖିବା ପାଇଁ ଗୋଟିଏ ବାଇକରେ ୩ ଜଣ ସାଙ୍ଗ ପହଁଞ୍ଚିଥିଲେ। ଆଉ ଗଛ ତଳେ ବସି ଖେଳ ଦେଖୁଥିଲେ ।

ଏହି ସମୟରେ ହଠାତ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା । ଗଛ ତଳେ ରହି ଖେଳ ଦେଖୁଥିବା ବେ‌ଳେ ୩ ଜଣ ସାଙ୍ଗଙ୍କ ଉପରେ ଘଡ଼ଘଡ଼ି ପଡିବାରୁ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତକଙ୍କ ମଧ୍ୟରେ ୧୮ ବର୍ଷୀୟ ବିଶାଳ ବିଲୁଙ୍ଗ, ୧୭ ବର୍ଷୀୟ ସୁନିତ ଓରାମ ଓ ୨୬ ବର୍ଷୀୟ ଶାନ୍ତି ପ୍ରକାଶ ଲାକ୍ରା ରହିଛନ୍ତି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଏଥିସହିତ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ସୋଗରପଶୀ ପଞ୍ଚାୟତ ଆରଦା ଗାଁରେ ବଜ୍ରପାତରେ ୧୩ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବି ଖବର ରହିଛି।