ଉତ୍ତର ପ୍ରଦେଶରେ ମଦମୃତ୍ୟୁ:ବିଷାକ୍ତ ମଦ ନେଲା ୧୨ ଜୀବନ

ବାରବାଙ୍କି: ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାରେ ବିଷାକ୍ତ ମଦ ପିଇବା ଯୋଗୁଁ ୧୨ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନ୍ୟ ୪୦ ଜଣ ଅସୁସ୍ଥ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମଦମୃତ୍ୟୁ ଘଟଣାରେ ୧୦ ଜଣ ଅବକାରୀ କର୍ମଚାରୀ ଏବଂ ୨ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ବେଳେ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ମଦମୃତ୍ୟୁ ଘଟଣା ପଛରେ ସମ୍ଭାବ୍ୟ ରାଜନୈତିକ ଷଡ଼ଯନ୍ତ୍ରର ଦିଗକୁ ମଧ୍ୟ ତଦନ୍ତ କରିବାକୁ ଯୋଗୀ ନିର୍ଦେଶ ଦେଇଛନ୍ତି। ୪୮ଘଣ୍ଟା ମଧ୍ୟରେ ଏହି ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅବକାରୀ ମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି, ଅବକାରୀ କମିସନର, ଯୁଗ୍ମ ଏବଂ ଉପ କମିସନରମାନଙ୍କୁ ଘଟଣାସ୍ଥଳକୁ ପଠାଯାଇ ଏହି ମଦମୃତ୍ୟୁ ଘଟଣାର ଅଧିକ ଅନୁସନ୍ଧାନ କରାଯାଉଛି।
ସୂଚନା ଅନୁଯାୟୀ, ସୋମବାର ରାତିରେ ରାଣୀଗଞ୍ଜ ଅଂଚଳର କିଛି ବ୍ୟକ୍ତି ରାମନଗର ଠାରେ ଥିବା ଦୋକାନରୁ ମଦ ପିଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କୁ ନିକଟରେ ଥିବା ରାମନଗର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିବା ବେଳେ ଅନ୍ୟ ୧୬ ଜଣଙ୍କୁ କିଙ୍ଗ୍‌ ଜର୍ଜ ହସ୍‌ପିଟାଲକୁ ନିଆଯାଇଛି। ଅନ୍ୟ କିଛି ଆକ୍ରାନ୍ତଙ୍କୁ ବଳରାମପୁର ଏବଂ ଲକ୍ଷ୍ନୌ ହସ୍‌ପିଟାଲକୁ ପଠାଇଦିଆଯାଇଛି। ମୃତ ୧୨ ଜଣଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଦୁଇଟି ନିକଟବର୍ତୀ ଜିଲ୍ଲାରେ ମଦମୃତ୍ୟୁ ଘଟିଥିଲା। ସେତେବେଳେ ୧୦୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏଥିରେ ସମାଜବାଦୀ ପାର୍ଟିର ନେତାଙ୍କ ସମ୍ପୃକ୍ତି ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର