ଲକ୍ଷ୍ନୌ: ବିବାହର ୧୮ ବର୍ଷ ପରେ ବି ସନ୍ତାନ ନ ହେବାରୁ ବନ୍ଧ୍ୟା ଅପବାଦରୁ ମୁକ୍ତି ପାଇଁ ଉତ୍ତରପ୍ରଦେଶର ଜଣେ ମହିଳା ଛଅମାସ କାଳ ଗର୍ଭବତୀ ଥିବା ଅଭିନୟ କରିବା ପରେ ଶେଷକୁ ଏକ ପ୍ଲାଷ୍ଟିକ୍ କଣ୍ଢେଇକୁ ଜନ୍ମ ଦେଇଛନ୍ତି। ଘଟଣାଟି ଘଟିଛି ଇଟାୱା ଜିଲ୍ଲା ବାଧପୁରା ଥାନା ଅନ୍ତର୍ଗତ ଉଦିମୋର ଅଞ୍ଚଳରେ। ମହିଳା ଜଣକ ୧୮ ବର୍ଷ ତଳେ ବିବାହ କରିଥିଲେ। ସନ୍ତାନ ନ ହେବାକୁ ପରିବାର ପକ୍ଷରୁ ତାଙ୍କୁ ନିତି ଖୁଣ୍ଟା ଦିଆଯାଉଥିଲା। ତାକୁ ସହି ନ ପାରି ଶେଷକୁ ସେ ଏକ କାହାଣୀ ଫାନ୍ଦିଲେ। ନିଜେ ଗର୍ଭବତୀ ଅଛନ୍ତି ବୋଲି ସମସ୍ତଙ୍କୁ କହିଲେ।

Advertisment

ପରିବାର ଲୋକଙ୍କ ସନ୍ଦେହ ମୋଚନ ପାଇଁ ନିୟମିତ ଭାବେ ସ୍ଥାନୀୟ କମ୍ୟୁନିଟ୍ ହେଲ୍‌ଥ ସେଣ୍ଟରକୁ ଚେକ୍‌ଅପ୍ କରାଇବାକୁ ବି ଯାଆନ୍ତି। କିନ୍ତୁ ହଠାତ୍ ଛଅମାସ ପରେ ପରିବାର ଲୋକଙ୍କୁ ଭୂତେଇବା ପାଇଁ ଭୀଷଣ ପେଟ କାଟୁଛି ବୋଲି କହିଲେ। ତା’ପରେ ସେ ଏକ ବିକଳାଙ୍ଗ ପ୍ଲାଷ୍ଟିକ୍ କଣ୍ଢେଇକୁ ରଙ୍ଗବୋଳି ତାଙ୍କର ଏକ ଅପୂର୍ଣ୍ଣାଙ୍ଗ ଶିଶୁ ଜନ୍ମ ହୋଇଛି ବୋଲି ଦାବି କଲେ। ପରିବାର ସଦସ୍ୟମାନେ ବି ଏହା ଶିଶୁ କି କଣ୍ଢେଇ ଜାଣିପାରିଲେ ନାହିଁ। ସେମାନେ କଣ୍ଢେଇ ଦେହରେ ଲୁଗା ଗୁଡ଼େଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେଲେ। ସେଠାରେ ଡାକ୍ତର ପରୀକ୍ଷା କରି କହିଲେ ଏହା ଏକ ବାସ୍ତବ ମଣିଷ ଶିଶୁ ନୁହେଁ, ଏକ ପ୍ଲାଷ୍ଟିକ୍ କଣ୍ଢେଇ। ଡାକ୍ତର ତାଙ୍କର ପୂର୍ବର ଚେକ୍‌ଅପ୍ ସମ୍ବନ୍ଧିତ କାଗଜପତ୍ର ଓ ଏକ୍ସ-ରେ ରିପୋର୍ଟ ପରୀକ୍ଷା କରି ଦେଖିଲେ ଏବଂ ସବୁଗୁଡ଼ାକ ନକଲି ଥିବା କହିଲେ। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ହର୍ଷିତଙ୍କ କହିବା ଅନୁସାରେ ମହିଳା ଜଣକ ନିୟମିତ ଭାବେ ଡାକ୍ତରଖାନା ଆସନ୍ତି। କିନ୍ତୁ ଗର୍ଭ ସମ୍ବନ୍ଧୀୟ ଚେକ୍‌ଅପ୍ ପାଇଁ ନୁହେଁ ବରଂ ତାଙ୍କ ପେଟ ସଂକ୍ରମଣର ଚିକିତ୍ସା କରାଇବାକୁ। ବନ୍ଧ୍ୟା ଅପବାଦରୁ ମୁକ୍ତି ପାଇଁ ସେ ଏପରି ନାଟକ ରଚନା କରିଥିବା ଡାକ୍ତର କହିଛନ୍ତି।