ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶର ଶେହଜାଦୀ ଖାନ୍‌ ନାମକ ଜଣେ ମହିଳାଙ୍କୁ ଫେବ୍ରୁଆରି ୧୫ ତାରିଖରେ ୟୁଏଇରେ ଫାଶୀ ଦିଆଯାଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ ଏନେଇ ଅବଗତ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏସ୍‌ଜି (ଅତିରିକ୍ତ ସଲିସିଟର ଜେନେରାଲ୍‌) ଚେତନ ଶର୍ମା କହିଛନ୍ତି, ତାଙ୍କ ପରିବାର ସଦସ୍ୟଙ୍କୁ ସରକାରୀ କର୍ତ୍ତୃପକ୍ଷ ସବୁ ପ୍ରକାର ସହଯୋଗ କରୁଛନ୍ତି। ମାର୍ଚ୍ଚ ୫ ତାରିଖରେ ଶେହଜାଦୀଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମନ୍ତ୍ରାଳୟ ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ, ଶେହଜାଦୀଙ୍କ ବାପା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଶେହଜାଦୀଙ୍କ ଆଇନଗତ ମାମଲାରେ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ଏବଂ ସେ କେମିତି ଅଛନ୍ତି ବୁଝିବାପାଇଁ ସେ ବିଦେଶ ବ୍ୟାପାର ମନ୍ତ୍ରାଳୟର ସହଯୋଗ ଲୋଡ଼ିଥିଲେ।  ତାଙ୍କ ସ୍ଥିତି ସଂକ୍ରାନ୍ତରେ ସ୍ପଷ୍ଟ କରିବାପାଇଁ ଏକ ବୁଲେଟିନ୍‌ ଜାରି କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ। ଆଜି ବିଦେଶ ବ୍ୟାପାର ମନ୍ତ୍ରାଳୟ ଦିଲ୍ଲୀ ହାଇକୋର୍ଟଙ୍କୁ ଶେହଜାଦୀଙ୍କୁ ଫାଶୀ ହୋଇ ସାରିଥିବା ଅବଗତ କରିଛନ୍ତି। ଫେବ୍ରୁଆରି ୧୫ରେ ଫାଶୀ ହୋଇଥିଲେ ମଧ୍ୟ ସରକାର ଏ ସଂକ୍ରାନ୍ତରେ ୧୩ ଦିନ ପରେ ଫେବ୍ରୁଆରି ୨୮ରେ ଏ ସଂପର୍କରେ ଜାଣିଥିଲେ। 

Advertisment

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଶେହଜାଦୀ ଜଣେ ୪ ମାସର ଶିଶୁକୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଅବୁଧାବିର ଏକ ଜେଲ୍‌ରେ ଥିଲେ। ତାଙ୍କୁ ମୃତ୍ୟୁ ଦଣ୍ଡ ହୋଇଥିଲା। ତାଙ୍କ ବାପା ଶବିର ଏହି ମାମଲାରେ ହସ୍ତକ୍ଷେପ କରି ତାଙ୍କ ଝିଅର ଜୀବନ ବଞ୍ଚାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଝିଅକୁ ଭୁଲ୍‌ରେ ଫସାଇ ଦିଆଯାଇଛି ବୋଲି ଶବିର ଅଭିଯୋଗ କରିଥିଲେ ଏବଂ ତାଙ୍କୁ ବଞ୍ଚାଇବାପାଇଁ ସେ ଅନେକ ଚେଷ୍ଟା କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ହସ୍ତକ୍ଷେପ କରିବାପାଇଁ ସେ ଅନୁରୋଧ କରିଥିଲେ। 

୩୩ ବର୍ଷୀୟା ଶେହଜାଦୀ ଖାନ୍‌ଙ୍କ ବାପା ଶବୀର ଖାନ୍‌ଙ୍କ ଆବେଦନ ଅନୁଯାୟୀ ତ‌ାଙ୍କ ଝିଅ ୨୦୨୧ ଡିସେମ୍ବରରେ ଭିସା ପାଇବାପରେ ଅବୁଧାବି ଯାଇଥିଲେ। ୨୦୨୨ ଅଗଷ୍ଟରେ ତାଙ୍କୁ କାମ ଦେଇଥିବା ବ୍ୟକ୍ତିଙ୍କର ଏକ ପୁଅ ହେଲା। ସେ ସେହି ପୁଅର କେୟାରଟେକର୍‌ ଭାବେ ନିଯୁକ୍ତ ପାଇଲେ। ୨୦୨୨ ଡିସେମ୍ବର ୭ରେ ଶିଶୁଟିର ଟିକାକରଣ ପରେ ମୃତ୍ୟୁ ହୋଇଥିଲା।  କିନ୍ତୁ ଶେହଜାଦୀ ଶିଶୁଟିକୁ ହତ୍ୟା କରିଛନ୍ତି ବୋଲି ତା’ ବାପା ମା’ ଅଭିଯୋଗ କରିଥିଲେ ଏବଂ ଏହି ମାମଲାର ତଦନ୍ତ ଚାଲିଲା।  ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଶେହଜାଦୀ ତାଙ୍କ ବାପାଙ୍କୁ ଫେବ୍ରୁଆରି ୧୪ ତାରିଖରେ ଫୋନ୍‌ କରି କଥା ହୋଇଥିଲେ।