ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ପାକିସ୍ତାନୀ ନାଗରିକମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ ପଞ୍ଜାବର ଅଟାରୀ-ୱାଘା ସୀମାରେ ଜଣେ ଭାରତୀୟ ମହିଳାଙ୍କୁ ପାକିସ୍ତାନ ପାର ହେବା ସମୟରେ ଅଟକାଯାଇଥିବା ଅଭିଯୋଗ ହୋଇଛି।

Advertisment

ଉତ୍ତର ପ୍ରଦେଶର ମିରଟର ବାସିନ୍ଦା ସାନା ଜଣେ ପାକିସ୍ତାନୀ ନାଗରିକଙ୍କୁ ବିବାହ କରିଛନ୍ତି। ହେଲେ ତାଙ୍କ ପାଖରେ ଭାରତୀୟ ପାସପୋର୍ଟ ଥିବାରୁ ତାଙ୍କୁ ସୀମାରେ ଅଟକାଯାଇଛି। ତେବେ ତାଙ୍କର ଏକ ତିନି ବର୍ଷର ପୁଅ ଏବଂ ଏକ ବର୍ଷର ଝିଅଙ୍କ ନିକଟରେ ପାକିସ୍ତାନୀ ପାସପୋର୍ଟ ଥିବାରୁ ସେମାନଙ୍କୁ ଦେଶ ଛାଡ଼ିବାକୁ କୁହାଯାଇଥିଲା।

ରବିବାର ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱଳ୍ପକାଳୀନ ଭିସା ଧାରକଙ୍କ ମଧ୍ୟରେ ୩୦ ବର୍ଷୀୟା ମହିଳା ମଧ୍ୟ ସାମିଲ ଥିଲେ।

୨୦୨୦ ମସିହାରେ କରାଚୀର ଡାକ୍ତର ବିଲାଲଙ୍କୁ ବିବାହ କରିଥିବା ସାନା ସମ୍ପ୍ରତି ତାଙ୍କ ପିତାମାତାଙ୍କୁ ଭେଟିବା ପାଇଁ ତାଙ୍କ ଜନ୍ମସ୍ଥାନକୁ ଆସିଥିଲେ।

ସାନା କହିଛନ୍ତି ଯେ ୨୨ ଏପ୍ରିଲରେ ପହଲଗାମରେ ପାକିସ୍ତାନ ସହିତ ଜଡିତ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ଏକ ନୋଟିସ ଜାରି କରିଥିଲେ। ନୋଟିସ୍‌ରେ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ଫେରିଯିବାକୁ କହିବା ପରେ ଅଧିକାରୀମାନେ ତାଙ୍କୁ ଦେଶ ଛାଡିବାକୁ କହିଥିଲେ।

ତେଣୁ ଶୁକ୍ରବାର ଦିନ ତାଙ୍କ ପିଲାମାନଙ୍କ ସହିତ ସେ ଅଟାରୀ-ୱାଘା ସୀମାକୁ ଚାଲିଗଲେ। କିନ୍ତୁ ସେଠାରେ ତାଙ୍କୁ ଅଟକାଯାଇଥିଲା ଏବଂ ତାଙ୍କ ଭାରତୀୟ ପାସପୋର୍ଟ ଯୋଗୁ ମିରଟ ଫେରିଯିବାକୁ କୁହାଯାଇଥିଲା। ଅଧିକାରୀମାନେ କହିଥିଲେ ଯେ ପାକିସ୍ତାନୀ ପାସପୋର୍ଟ ଥିବା ପିଲାମାନଙ୍କୁ ଫେରିବାକୁ ପଡ଼ିବ।

ଏହା ସାନାଙ୍କୁ ଏକ ଦ୍ୱନ୍ଦ୍ୱରେ ପକାଇଥିଲା। ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ସେ କାନ୍ଦିବାକୁ ଲାଗିଲେ। ସାନା ଏବଂ ତାଙ୍କ ପରିବାର ଦେଖିଲେ ଯେ ସେମାନଙ୍କ ଭଳି ଆହୁରି ଅନେକ ମାମଲା ଅଛି, ପିଲାମାନେ ସେମାନଙ୍କ ମା'ଙ୍କୁ ବିଦାୟ ଦେଇ ନିଜ ବାପାଙ୍କ ପାଖକୁ ଏକାକୀ ସୀମା ପାର ହୋଇ ଯିବାକୁ ବାଧ୍ୟ ହୋଇଛନ୍ତି। 

"ମୋ ପିଲାମାନେ ଏଠାରେ ରହିପାରିବେ ନାହିଁ ଏବଂ ମୁଁ ସେଠାକୁ ଯାଇପାରିବି ନାହିଁ," ସେ କାନ୍ଦି କାନ୍ଦି ସାମ୍ବାଦିକମାନଙ୍କୁ କହିଥିବାର ଦେଖିବାକୁ ମିଳିଛି।

ପରିବାର ଲୋକ ସୀମାରେ ଥିବା ଅଧିକାରୀମାନଙ୍କୁ ସେମାନଙ୍କର ପରିସ୍ଥିତି ବିଷୟରେ କହିଥିଲେ। ପିଲାମାନେ ବହୁତ ଛୋଟ ଥିବାରୁ ସେମାନଙ୍କ ମା'ଙ୍କ ବିନା ରହିବା ଅସମ୍ଭବ ବୋଲି ଦର୍ଶାଇଥିଲେ। ଅଧିକାରୀମାନେ ସାନାଙ୍କୁ ମିରଟକୁ ଫେରାଇ ଦେଇଥିଲେ ଏବଂ ନୂତନ ସରକାରୀ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିବାକୁ କହିଥିଲେ।

ସାନା କହିଛନ୍ତି ଯେ ତାଙ୍କ ବିବାହ ପରେ ଏହା ତାଙ୍କର ଦ୍ୱିତୀୟ ଭାରତ ଯାତ୍ରା ଥିଲା, ପ୍ରଥମ ଯାତ୍ରା ପ୍ରାୟ ୩ ବର୍ଷ ପୂର୍ବେ ହୋଇଥିଲା।