ୟୁପିରୁ ଏହି ୩ରାଜ୍ୟର ଏନସିଆରକୁ ଯାଉଥିବା କ୍ୟାବଗୁଡ଼ିକୁ ରୋଡ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ !

ଲକ୍ଷ୍ନୌ: ମଙ୍ଗଳବାର ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୈଠକରେ ପରିବହନକୁ ନେଇ ଏକ ବଡ ପ୍ରସ୍ତାବ ପାରିତ ହୋଇଛି। ଯେଉଁଥିରେ ରୋଡ୍ ଟ୍ୟାକ୍ସ ବା ପଥ କର ଛାଡ ପାଇଁ ୟୁପି ସମେତ ଚାରୋଟି ରାଜ୍ୟ(ହରିୟାଣା, ଦିଲ୍ଲୀ ଓ ରାଜସ୍ଥାନ) ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ୟୁପିର ଲକ୍ଷ ଲକ୍ଷ ଲୋକଙ୍କୁ ଉପକୃତ କରିବ।

ବର୍ତ୍ତମାନ ୟୁପିବାସୀଙ୍କୁ ପଥ କର ଦେବାକୁ ପଡିବ ନାହିଁ। ଏହାର ଅର୍ଥ ହେଉଛି ୟୁପିରୁ ଏହି ୩ଟି ରାଜ୍ୟର ଏନସିଆରକୁ ଯାଉଥିବା ଯାନଗୁଡିକ ଯେପରିକି ସ୍କୁଲ ଭ୍ୟାନ୍, କ୍ୟାବ, ଆମ୍ବୁଲାନ୍ସ ଇତ୍ୟାଦିକୁ ଅତିରିକ୍ତ ରୋଡ୍ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ, କ୍ୟାବ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ଏନସିଆରରେ ଦୈନିକ ଗତିବିଧି ପାଇଁ ଅତିରିକ୍ତ ରୋଡ୍ ଟ୍ୟାକ୍ସ ଦେବାକୁ ପଡୁଥିଲା। ବର୍ତ୍ତମାନ ଏହି ଚାରୋଟି ରାଜ୍ୟ ମଧ୍ୟରେ ଚୁକ୍ତିନାମା ପରେ ୟୁପି ଲୋକଙ୍କୁ ଅତିରିକ୍ତ ରୋଡ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ।

ୟୁପିର ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତ୍ତମାନ ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ଏବେ ୟୁପିର କ୍ୟାବ ଚାଳକଙ୍କୁ ଗୋଟିଏ ଟିକସ ଦେବାକୁ ପଡିବ, ଯାହା ଯାତ୍ରା ଆରମ୍ଭରୁ ‌ନିଆଯିବ। ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ପ୍ରବେଶ କ‌ଲେ ବି ସେମାନଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ। ରାଜ୍ୟମାନେ ମଧ୍ୟ ଏହି ନିଷ୍ପତ୍ତି ପାଇଁ ସମ୍ମତି ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ନିଷ୍ପତ୍ତି ହେତୁ ୟୁପି ସରକାର ୧୨କୋଟିର କ୍ଷତି ସହିବେ। କିନ୍ତୁ ଜନସାଧାରଣଙ୍କ ସ୍ବାର୍ଥ ତଥା ଟ୍ରାଫିକ ଜାମ୍ ପାଇଁ ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର