ଚମତ୍କାର : ଭଙ୍ଗା କୋଠାତଳେ ୪ ଦିନ ପଶି ରହିବା ପରେ ଅକ୍ଷତ ଅବସ୍ଥାରେ ବାହାରି ଆସିଲା ଯୁବକ

ବାଙ୍ଗାଲୋର : କର୍ଣ୍ଣାଟକର ଧାରଓ୍ଵାଡଠାରେ ଥିବା କୁମାରେଶ୍ୱରରେ କୋଠା ଭୁଷୁଡ଼ିବା ଘଟଣାରେ ଏକ ଚମତ୍କାର ଘଟଣା ଦେଖିବାକୁ ମିଳିଛି । ଭଙ୍ଗା କଂକ୍ରିଟ ଗଦା ତଳେ ପ୍ରାୟ ୪ ଦିନ ଦବି ରହିବା ପରେ ଜଣେ ୨୪ ବର୍ଷୀୟ ଯୁବକ ନିଜେ ଉଦ୍ୟମ କରି ବାହାରକୁ ବାହାରି ଆସିଛି । ସେ ଚାଲି ଚାଲି ବାହାରୁ ବାହାରିବା ଦେଖି ଲୋକମାନେ ଆଚମ୍ବିତ ହୋଇଯାଇଥିଲେ । ଏପରିକି ଉଦ୍ଧାରକାରୀ ଏନଡିଆରଏଫ ଦଳ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଉକ୍ତ କୋଠାରେ ଥିବା ଜେଡିଏସ ଅଫିସରେ ସେ ଜଣେ ପିଅନଭାବେ କାମ କରୁଥିଲା ।

ଏହି ଭଙ୍ଗା କୋଠାରେ ଏପର୍ଯ୍ୟନ୍ତ ଫସିରହିଥିବା ପ୍ରାୟ ୬୨ ଜଣ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ହସପିଟାଲ ଓ ହୁବୁଳିସ୍ଥିତ କିମ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆହୁରି ୩-୪ ଜଣ ଏଠାରେ ଫସିରହିଥିବା ଆଶଙ୍କା କରାଯାଉଛି । ତେବେ କଂକ୍ରିଟ କାଟି ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଉଦ୍ଧାରକାରୀ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି । ଏସଡିଆରଏଫ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାମ କରାଯାଉଛି । ଭିତରେ ଫସି ରହିଥିବା ଲୋକମାନଙ୍କୁ ଅମ୍ଳଜାନ ଓ ଓଆରଏସ ଦିଆଯାଉଛି ବୋଲି କହିଛନ୍ତି ସହରର ଡେପୁଟୀ କମିଶନର ଦୀପା ଚୋଲାନ ।

ସମ୍ବନ୍ଧିତ ଖବର