ପୁନେରେ ପ୍ରବାସୀ ଓଡ଼ିଆଙ୍କ ଅନୁଷ୍ଠାନ ‘ସ୍ପ୍ରେଡ୍‌ ହାପିନେସ୍‌ ଫାଉଣ୍ଡେସନ’ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୧ରୁ ଆରମ୍ଭ ହେବାକୁ ଯାଉଛି ‘ୟୁପିଏଲ୍‌’ ସିଜିନ୍‌-୩

ପୁନେ : ପୁନେରେ ରହୁଥିବା ଓଡ଼ିଆ ଯୁବକଯୁବତୀ ତଥା ସମାଜ ସେବାରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ , ମହାରାଷ୍ଟ୍ରର ସ୍ଥାନୀୟ ଅଧିବାସୀ ଓ ଅନ୍ୟ ବର୍ଗର ଆଗ୍ରହୀଙ୍କୁ ନେଇ ଗଢ଼ିଉଠିଛି ଏକ ନୂଆ ଅନୁଷ୍ଠାନ ‘ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ’।

ଅନୁଷ୍ଠାନର ମୁଖ୍ୟ ପରିଚାଳକ ସୌମ୍ୟରଂଜନ ମହାପାତ୍ରଙ୍କ ସୂଚନା ଅନୁସାରେ, ଫାଉଣ୍ଡେସନର ସଦସ୍ୟମାନେ ପୁନେଠାରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରି ଆସୁଛନ୍ତି। ବିଶେଷକରି, ପ୍ରଶାସନ ତଥା ମହାରାଷ୍ଟ୍ର ସରକାରଙ୍କ ସହିତ ମିଳିତ ବୁଝାମଣାରେ ଜଙ୍ଗଲ ଜମି ସହିତ ପ୍ରମୁଖ ବିଦ୍ୟାଳୟ, ମହାବିଦ୍ୟାଳୟରେ ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣ ଜାରି ରଖିଛି। ଏଥିସହିତ, ପୁନେର ବିଭିନ୍ନ ସ୍ଥାନରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ମିଳିତ ଉଦ୍ୟମରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି।

ନିକଟରେ ପୁନେ ପ୍ରବାସୀ ଓଡ଼ିଆ କ୍ରୀଡ଼ାପ୍ରେମୀ ଯୁବକ ମାନଙ୍କୁ ନେଇ ‘ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ’ ତରଫରୁ କ୍ରିକେଟ ମହାସମର ‘ ୟୁପିଏଲ୍‌ -ସିଜିନ ୩ ’ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ, ଆସନ୍ତା ସେପ୍ଟେମ୍ବର ମାସ ୨୧ ତାରିଖଠାରୁ ‘ୟୁପିଏଲ୍‌ -ସିଜିନ ୩ ’ ଆରମ୍ଭ ହୋଇ ଅକ୍ଟୋବର ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ, ଓଡ଼ିଶାର ବିଭିନ୍ନ ପ୍ରମୁଖ ସହର ନାମରେ ନାମିତ ବ୍ରହ୍ମପୁର ବ୍ଲାଷ୍ଟର,ବାଲେଶ୍ୱର ବୁଲସ,ଭଦ୍ରକ ଚାମ୍ପିଅନ, ଭୁବନେଶ୍ୱର ଜାଗୁଆର,କଟକ କ୍ରୁଜର, ବଲାଙ୍ଗୀର ଷ୍ଟାର୍‌ସ, ପୁରୀ ସ୍ଲୋଗାର, ଖୋର୍ଦ୍ଧା ୱାରିୟର, ଜଗତସିଂହପୁର ଲାୟନସ, ଢେଙ୍କାନାଳ ଡାଇନାମାଇଟ୍ସ, କେଉଁଝର ଆଇରନ୍ସ, ମୟୁରଭଞ୍ଜ ମାର୍ବଲସ, କେନ୍ଦ୍ରାପଡା ନାଇଟ ରାଇଡ଼ର, ପାରାଦୀପ ଫାଇଟର, ବାଙ୍କୀ ୱାରିୟର,ସମ୍ବଲପୁର ସାମୁରାଇସ ପ୍ରଭୃତି ୧୬ଟି ଦଳ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର