ୟୁପି ପୌରପାଳିକା ନିର୍ବାଚନରେ ବିଜେପିର ବାଜିମାତ୍‌: ୧୬ରୁ ୧୪ ମେୟର ଆସନ ଦଖଲ

-ବିକାଶର ବିଜୟ ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ଆଠ ମାସ ତଳେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଆଶାତୀତ ବିଜୟର ସ୍ୱାଦ ଚାଖିଥିବା ବିଜେପି ସଦ୍ୟ ଅନୁଷ୍ଠିତ ପୌର ନିର୍ବାଚନକୁ ମଧ୍ୟ ପୋଛିନେଇଥିବା ଜଣାଯାଇଛି। ରାଜ୍ୟର ମୋଟ ୧୬ଟି ମେୟର ଆସନରୁ ଦଳ ସମ୍ମାନଜନକ ଅଯୋଧ୍ୟା ଏବଂ ବାରଣାସୀ ଆସନ ସମେତ ୧୪ଟିକୁ ହାତେଇନେଇଛି। ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ହୋଇଥିବା ଏହି ନିର୍ବାଚନ ଜନିତ ଲୋକପ୍ରିୟତାର ପ୍ରଥମ ପରୀକ୍ଷାରେ ସେ ସଫଳ ହେବା ସହ ଦଳକୁ କୃତଜ୍ଞତା ସ୍ୱରୂପ ବିଜୟ ପାଉଣା ଅର୍ପଣ କରିଛନ୍ତି। ସେହିପରି ଏଥିରେ ଉଲ୍ଲସିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ବିକାଶର ବିଜୟ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଅପରପକ୍ଷେ, ୨୦୧୨ ମସିହାରେ ଶାସନ କ୍ଷମତା ହରାଇ ଭୋଟରଙ୍କ ଠାରୁ ଏକରକମ ଦୂରରେ ବୋଲି ବିବେଚିତ ହେଉଥିବା ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ବାକି ଦୁଇଟି(ମିରଟ ଓ ଆଲିଗଡ଼) ପୌର ନିଗମ ହାତେଇ ନିଜର ଅସ୍ଥିତ୍ୱ ଜାହିର କରିଛି। ତେବେ ଗତ ବିଧାନସଭା ନିର୍ବାଚନରେ ମେଣ୍ଟ ଗଢ଼ିଥିବା ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ନିରାଶ ହେବାକୁ ପଡ଼ିଛି। ବିମୁଦ୍ରାକରଣ ଏବଂ ଜିଏସ୍‌ଟି ବିରୋଧରେ ସେମାନେ ସହରାଞ୍ଚଳ ଭୋଟରଙ୍କୁ ଯେତେ ପ୍ରବର୍ତ୍ତାଇଥିଲେ ବି ତାହାର ପ୍ରଭାବ ଆଦୌ ପଡ଼ିନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର