ଜୟପୁର: ରାଜସ୍ଥାନ ବିଧାନସଭାରେ ସୋମବାର ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ଯେଉଁଥିପାଇଁ ବିଧାନସଭା ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡିଛି। ଏହା ପରେ କଂଗ୍ରେସ ବିଧାୟକମାନେ ଧର୍ମଘଟରେ ବସିଥିଲେ। ଏଥି ସହିତ ବିଧାନସଭାର ଅବଶିଷ୍ଟ ବଜେଟ୍ ଅଧିବେଶନର ପ୍ରକ୍ରିୟାରୁ କଂଗ୍ରେସ ବିଧାୟକ ମୁକେଶ ଭାକରଙ୍କୁ ନିଲମ୍ବିତ କରାଯାଇଛି।
ଭାକରଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ବାଚସ୍ପତି ବାସୁଦେବ ଦେବନାନୀଙ୍କ ପ୍ରତି ଅପମାନଜନକ ଇସାରା କରି ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
ତାଙ୍କୁ ନିଲମ୍ବନ କରିବା ପରେ ବାଚସ୍ପତି ମାର୍ଶଲଙ୍କୁ ଡାକିଥିଲେ। ମାର୍ଶଲ ଭାକରଙ୍କୁ ବାହାରକୁ ଆଣିବାର ପ୍ରୟାସ କରିବା ମାତ୍ରେ କଂଗ୍ରେସ ବିଧାୟକମାନେ ଏକଜୁଟ ହୋଇଥିଲେ। ସେମାନେ ଏକ ଭାକରଙ୍କୁ ଘେରି ରହିଥିଲେ। ଏହା ପରେ କଂଗ୍ରେସ ବିଧାୟକ ଏବଂ ମାର୍ଶଲଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଗୃହର ପ୍ରକ୍ରିୟାକୁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏଥି ସହ ବିରୋଧୀ ଦଳର ବିଧାୟକମାନେ ବିଧାନସଭା ଭିତରେ ଧାରଣାରେ ବସିଥିବାର କୁହାଯାଉଛି।
ଧସ୍ତଧସ୍ତିରେ ଅନେକ ବିଧାୟକ ତଳେ ପଡ଼ିଯାଇଥିଲେ। ବରିଷ୍ଠ ବିଧାୟକ ହରିମୋହନ ଶର୍ମାଙ୍କ ସମେତ ଅନେକ ବିଧାୟକ ମଧ୍ୟ ଆହତ ହୋଇଛନ୍ତି। ଧସ୍ତଧସ୍ତିରେ ମହିଳା ବିଧାୟକ ଅନୀତା ଜାଟବଙ୍କ ଚୁଡ଼ି ଭାଙ୍ଗି ଯାଇଥିଲା। ଏହାପୂର୍ବରୁ ହ୍ବିପ୍ ଯୋଗେଶ୍ୱର ଗର୍ଗ ଭାକରଙ୍କୁ ନିଲମ୍ବନ କରିବାକୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଯାହା ପାରିତ ହୋଇଥିଲା।ଏହି ପ୍ରସ୍ତାବ ପାରିତ ହେବା ମାତ୍ରେ ବାଚସ୍ପତି ମାର୍ଶଲଙ୍କୁ ଡାକି ଭାକରଙ୍କୁ ଗୃହରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ଗୃହର ପ୍ରକ୍ରିୟା ଅଧ ଘଣ୍ଟା ପାଇଁ ଅପରାହ୍ନ ୩ଟା ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।
ପରେ ପ୍ରକ୍ରିୟା ପୁଣି ଆରମ୍ଭ ହେଲା, କିନ୍ତୁ ହଙ୍ଗାମା ବନ୍ଦ ହୋଇ ନ ଥିଲା। ଏହା ପରେ ଅଧଘଣ୍ଟା ପାଇଁ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। କଂଗ୍ରେସ ବିଧାୟକ ମୁକେଶ ଭାକର ବାଚସ୍ପତିଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏହା ଉପରେ ପ୍ରଶ୍ନ ଉଠାଇ ବାଚସ୍ପତି ଏକ ପ୍ରସ୍ତାବ ଆଣିବାକୁ ଅନୁରୋଧ କରିଥିଲେ। ଅପମାନକୁ ବରଦାସ୍ତ କରାଯିବ ନାହିଁ ବୋଲି ବାଚସ୍ପତି ସ୍ପଷ୍ଟ ଭାବରେ କହିଛନ୍ତି। ଗୃହ କାର୍ଯ୍ୟ ଜାରି ରହୁ ଅବା ନ ରହୁ ଏଥିରେ କୌଣସି ଯାଏ ଆସେ ନାହିଁ ବୋଲି ବାଚସ୍ପତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-05-at-9.29.08-PM.jpeg)