ନୂଆଦିଲ୍ଲୀ: ଦେଶରେ ତିକ୍ତତା ପ୍ରସାର କରୁଥିବା ବ୍ୟକ୍ତିମାନଙ୍କ ପ୍ରସଙ୍ଗରେ କାହିଁକି ‘ମଉନୀ ବାବା’ ସାଜିଛନ୍ତି ବୋଲି ଆଜି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିବାରୁ ରାଜ୍ୟସଭାରେ ହଟ୍ଟଗୋଳ ହୋଇଛି।
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଲେ, ଆଜ୍ଞା, ଆପଣ ଅତି ବରିଷ୍ଠ ସଦସ୍ୟ। ଏଭଳି କଥା ଆପଣଙ୍କୁ ମାନେ ନାହିଁ। ଏ ଭଳି ଅଶିଷ୍ଟ ମନ୍ତବ୍ୟ ଦିଅନ୍ତୁ ନାହିଁ।
‘ବିଜେପି’ ସାଂସଦମାନେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ଖଡ଼ଗେ କହିଲେ, ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଖାଇବି ନାହିଁ କି, ଖୁଆଇ ଦେବି ନାହିଁ। ଏବେ ମୁଁ ପଚାରୁଛି, କେତେ ଜଣ ଶିଳ୍ପପତିଙ୍କୁ ସେ କାହିଁକି ‘ଖୁଆଇ’ ଦେଉଛନ୍ତି। ଅଢ଼େଇ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅନ୍ୟତମ ଘନିଷ୍ଠ ବନ୍ଧୁଙ୍କର ସମ୍ପତ୍ତି ୧୩ଗୁଣ ହୋଇଯାଇଛି। ୨୦୧୪ରେ ସେ ବ୍ୟକ୍ତିଙ୍କର ସମ୍ପତ୍ତି ୫୦,୦୦୦ କୋଟି ଟଙ୍କା ଥିଲା ବେଳେ ୨୦୧୯ରେ ତାହା ୧ ଲକ୍ଷ କୋଟି ଟଙ୍କା ହୋଇଥିଲା। ମୁଁ ଜାଣେନା କେଉଁ କୁହୁକ ବଳରେ ୨ ବର୍ଷରେ ତାଙ୍କ ସମ୍ପତ୍ତି ୧୨ ଲକ୍ଷ କୋଟି ଟଙ୍କା ହୋଇଗଲା।
/sambad/media/post_attachments/wp-content/uploads/2023/02/khadge1.jpg)
ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼ କହିଲେ, ପ୍ରମାଣ ନ ଥିବା ଅଭିଯୋଗ ଉପରେ ବିତର୍କ କରାଯାଇ ପାରିବ ନାହିଁ। ଗୃହରେ ମୁଁ ଅସମର୍ଥିତ ସୂତ୍ରରୁ ପ୍ରାପ୍ତ ସୂଚନା ଉପରେ ବିତର୍କ କରାଇ ଦେବିନାହିଁ।
ଖଡ଼ଗେଙ୍କ ଟିପ୍ପଣୀକୁ ବିରୋଧ କରି ‘ବିଜେପି’ ସାଂସଦ ପୀୟୂଷ ଗୋୟଲ୍ ମଧ୍ୟ କହିଲେ, ଖଡ଼ଗେ ଯାହା ଅଭିଯୋଗ କରୁଛନ୍ତି ତାହାକୁ ପ୍ରମାଣ କରିହେବ ନାହିଁ। ତାହା ସେୟାର୍ ମାର୍କେଟ ହିସାବ। ସେଥିରେ ସରକାରଙ୍କର କୌଣସି ଭୂମିକା ନାହିଁ। ଏହାର ମୂଲ୍ୟାୟନ ସଂକ୍ରାନ୍ତରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କଠାରୁ ଜ୍ଞାନ ହାସଲ କରିବା ଲାଗି ମୁଁ ଖଡ଼ଗେଙ୍କୁ ଅନୁରୋଧ କରୁଛି।
ହଟ୍ଟଗୋଳ ଆହୁରି ପ୍ରବଳ ହେବାରୁ ଖଡ଼ଗେ କହିଲେ, ଆପଣମାନେ ମତେ ଦେଶ ବିରୋଧୀ କହୁଛନ୍ତି? ମୁଁ ଯେକୌଣସି ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଦେଶପ୍ରେମୀ। ମୁଁ ଜଣେ ‘ଭୂମିପୁତ୍ର’। ମୁଁ ଆଫଗାନିସ୍ତାନରୁ ଆସିନାହିଁ।