ମଥୁରା: ଆମ୍ରୋହା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଉତ୍ତରପ୍ରଦେଶର ଶବନମ୍ ସ୍ବାଧୀନତା ପରେ ଫାଶୀ ପାଉଥିବା ପ୍ରଥମ ମହିଳା ହେବେ। ଶବନମ୍ ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ ଫାଶୀ ଦେବା ପାଇଁ ମଥୁରା ଜେଲ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଛି।
୨୦୧୨ରେ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀମାନଙ୍କୁ ଫାଶୀ ଦେଇଥିବା ପବନ ଜଲ୍ଲାଦ ଶବନମକୁ ଫାଶୀ ଦେବେ ବୋଲି ଜଣାପଡ଼ିଛି। ଫାଶୀ ପୂର୍ବରୁ ପବନ ଉତ୍ତରପ୍ରଦେଶର ମଥୁରାରେ ଅବସ୍ଥିତ ଏକମାତ୍ର ମହିଳା ମୃତ୍ୟୁଦଣ୍ଡ କେନ୍ଦ୍ର ଯାଞ୍ଚ କରିସାରିଛନ୍ତି। ଏହା ସହ ମଥୁରା ଜେଲ ପ୍ରଶାସନ ମଧ୍ୟ ଫାଶୀ ପାଇଁ ବ୍ୟବହାର ହେବକୁ ଥିବା ଦଉଡି ଆଣିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି।
ସୂଚନା ମୁତାବକ, ଘଟଣାଟି ଘଟିଥିଲା ୨୦୦୮ରେ। ଏପ୍ରିଲ୍ ୧୪/୧୫ ମଧ୍ୟରାତ୍ରିରେ ଶବନମ୍ ତାଙ୍କ ପ୍ରେମିକ ସଲିମଙ୍କ ସହ ମିଶି ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ଶବନମ୍ ତାଙ୍କ ପରିବାର ସହିତ ଆମ୍ରୋହାରେ ରହୁଥିବା ବେଳେ ଶବନମ୍ ଏବଂ ସଲିମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୁହେଁ ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ଶବନମଙ୍କ ପରିବାର ସେମାନଙ୍କ ବିବାହକୁ ବିରୋଧ କରିଥିଲେ। ଏ ନେଇ ଦୁହେଁ ହତ୍ୟା କରିବାର ଯୋଜନା କରିଥିଲେ।
/sambad/media/post_attachments/5ba5b1b592e859277ec90bae2ccd8cfc89d617b8f9b6a702741b93dba921d3ad.jpg) ANI News
 ANI Newsହତ୍ୟାକାଣ୍ଡର ପାଞ୍ଚ ଦିନ ପରେ ଏପ୍ରିଲ ୧୯,୨୦୦୮ରେ ଶବନମଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଗିରଫ କରାଯିବା ସମୟରେ ସେ ସାତ ସପ୍ତାହର ଗର୍ଭବତୀ ଥିବା ବେଳେ ଡିସେମ୍ବର ୨୦୦୮ରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଅନୁସନ୍ଧାନ ବେଳେ ଏହା ଜଣାପଡିଥିଲା ଯେ, ଶବନମ ସଲିମଙ୍କୁ ଏହି ଅପରାଧ କରିବାକୁ ବାଧ୍ୟ କରିଥିଲେ। ଜୁଲାଇ ୧୪, ୨୦୧୦ରେ ଜିଲ୍ଲା ଏବଂ ସେସନ କୋର୍ଟ ଏହି ଦୁଇଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ୨୦୧୦ମସିହାରେ ଦୁଇ ଅଭିଯୁକ୍ତ ଆହ୍ଲାବାଦ ହାଇକୋର୍ଟରେ ସେସନ୍ସ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଥିଲେ। ହେଲେ ହାଇକୋର୍ଟ ମୃତ୍ୟୁଦଣ୍ଡାଦେଶକୁ ସମର୍ଥନ କରୁଥିବା ନେଇ ରାୟ ଶୁଣାଇବା ପରେ ଦୁହେଁ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲେ।
କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ୨୦୧୫ରେ ମୃତ୍ୟୁଦଣ୍ଡକୁ ସମର୍ଥନ କରି ରାୟ ଶୁଣାଇଥିଲେ। ସମସ୍ତ ଆଇନଗତ ବିକଳ୍ପ ସରିଯାଇଥିବାରୁ ଶବନମ୍ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ରାଜକ୍ଷମା ଆବେଦନ କରିଥିଲେ ମଧ୍ୟ ତାକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା। ପରେ ପୁଣି ସେମାନେ ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ ମଧ୍ୟ କରିଥିଲେ। ସବୁ ପରେ ମଧ୍ୟ ତାଙ୍କୁ ଫାଶୀ ଦଣ୍ଡରୁ ମୁକ୍ତି ମିଳିପାରିନଥିଲା।
୧୮୭୦ମସିହାରେ ବ୍ରିଟିଶ ଶାସନ ସମୟରେ ପ୍ରାୟ ୧୫୦ବର୍ଷ ପୂର୍ବେ ମଥୁରା ଜେଲରେ ଭାରତର ଏକମାତ୍ର ମହିଳା ମୃତ୍ୟୁଦଣ୍ଡ ଗୃହ ନିର୍ମାଣ କରାଯାଇଥିଲା। କିନ୍ତୁ ସ୍ୱାଧୀନତା ପରଠାରୁ ସେଠାରେ କୌଣସି ମହିଳା ଦୋଷୀଙ୍କୁ ଫାଶୀ ଦିଆଯାଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/ସ-63.jpg)
