ଲକ୍‌ଡାଉନକୁ ଦୃଷ୍ଟିରେ ରଖି ବିଭିନ୍ନ ପରୀକ୍ଷାର ତାରିଖ ପୁନଃନିର୍ଧାରଣ କରିବ ୟୁପିଏସସି

ନୂଆଦିଲ୍ଲୀ : କରୋନା ମୁକାବିଲା ଜନିତ ଲକଡାଉନ ପରିସ୍ଥିତି ସମୀକ୍ଷା କରିବା ପାଇଁ ବୁଧବାର ଏଠାରେ ସଂଘ ଲୋକସେବା ଆୟୋଗ (ୟୁପିଏସସି)ର ଏକ ସ୍ଵତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା । ଏବେ ସାମାଜିକ ଦୂରତ୍ଵ ରକ୍ଷା ସମେତ ଲକଡାଉନ ଜନିତ ବିଭିନ୍ନ କଟକଣା ରହିଥିବାରୁ ବିଭିନ୍ନ ପରୀକ୍ଷା, ସାକ୍ଷାତକାର ନିମନ୍ତେ ପ୍ରାର୍ଥୀ, ବିଶେଷଜ୍ଞ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା ସମ୍ଭବ ନୁହେଁ । ତେଣୁ ଆଗକୁ ଏଭଳି ଯେଉଁସବୁ ୟୁପିଏସସି ପରୀକ୍ଷା/ସାକ୍ଷାତକାର ରହିଛି ସେଗୁଡିକର ତାରିଖ ଉପଯୁକ୍ତ ସମୟରେ ସମୀକ୍ଷା କରି ପୁନଃ ନିର୍ଧାରିତ କରାଯିବ । ସେହିଭଳି ୨୦୧୯ ସିଭିଲ ସର୍ଭିସ ପରୀକ୍ଷାର ଅବଶିଷ୍ଟ ସାକ୍ଷାତକାର (ପର୍ସନାଲିଟି ଟେଷ୍ଟ) ନିମନ୍ତେ ନୂଆ ତାରିଖ ଘୋଷଣା ମେ ୩ ତାରିଖ ଲକଡାଉନ ଅବଧିର ସମାପ୍ତି ପରେ କରାଯିବ। ୨୦୨୦ ସିଭିଲ ସର୍ଭିସ (ପ୍ରିଲିମ), ଇଞ୍ଜିନିୟରିଂ ସର୍ଭିସ (ମେନ) ଓ ଜିଓଲଜିସ୍ଟ (ମେନ)ର ପରୀକ୍ଷା ତାରିଖ ଇତିମଧ୍ୟରେ ଘୋଷଣା କରାଯାଇଛି । ସାଂପ୍ରତିକ ପରିସ୍ଥିତିରେ ଏସବୁ ପରୀକ୍ଷାର ତାରିଖ ଯଦି ବଦଳାଇବାକୁ ପଡେ ତେବେ ୟୁପିଏସସି ୱେବସାଇଟରେ ତାହା ଜଣାଇ ଦିଆଯିବ ।

ନେସନାଲ ଡିଫେନ୍ସ ଏକାଡେମି (ଏନଡିଏ–୧) ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ଇତିମଧ୍ୟରେ ସ୍ଥଗିତ ରଖାଯାଇଛି । ଏନଡିଏ–୨ ପରୀକ୍ଷା ସଂକ୍ରାନ୍ତରେ ଜୁନ ୧୦ ତାରିଖରେ ନିଷ୍ପତ୍ତି ନିଆଯିବ। ଏହି ପରୀକ୍ଷା ତାରିଖ ସେଦିନ ଚୂଡାନ୍ତ ହେବ । ଆୟୋଗ ଦ୍ଵାରା ପରିଚାଳିତ ଯେ କୌଣସି ପରୀକ୍ଷା, ସାକ୍ଷାତକାର ଆଦିର ତାରିଖ ଆବଶ୍ୟକ ସ୍ଥଳେ ଯଦି ବଦଳାଇବାର ଯଥାର୍ଥତା ପଡେ, ତୁରନ୍ତ ସେ ସମ୍ପର୍କରେ ସୂଚନା ୟୁପିଏସସି ୱେବସାଇଟରେ ଉପଲବ୍ଧ ହେବ ।

ଆଜିର ଏହି ବୈଠକରେ କରୋନା ମହାମାରୀ ଯୋଗୁ ଦେଶର ଅର୍ଥନୀତି ଉପରେ ପଡିବାକୁ ଥିବା କ୍ଷତି ସମ୍ପର୍କରେ ମଧ୍ୟ ସମୀକ୍ଷା କରଯାଇଥିଲା । ଏହି ସମୟରେ ସରକାରଙ୍କର ସମ୍ବଳ ଆବଶ୍ୟକତା ଓ ଅର୍ଥ ସଂରକ୍ଷଣ ନିଷ୍ପତ୍ତିର ଯଥାର୍ଥତାକୁ ସମର୍ଥନ ଜଣାଇ ୟୁପିଏସସିର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟ ନିଜ ନିଜ ମୂଳ ବେତନର ୩୦ ଶତାଂଶ ଏକ ବର୍ଷ ପାଇଁ ଗ୍ରହଣ ନ କରିବାକୁ ସ୍ଵେଚ୍ଛାକୃତ ଭାବେ ନିଷ୍ପତ୍ତି ନେଇଥିଲେ । ଚଳିତ ମାସରୁ ଏହି ଆଂଶିକ ବେତନ ପରିହାର ବ୍ୟବସ୍ଥା ଲାଗୁ ହେବ ।

ଏହା ସହିତ ୟୁପିଏସସିର ସମସ୍ତ ସଦସ୍ୟ ଓ ଅଧିକାରୀ ସେମାନଙ୍କର ଗୋଟିଏ ଦିନର ବେତନ ସ୍ଵେଚ୍ଛାକୃତ ଭାବେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା କୋଷ (ପିଏମ କେୟାର୍ସ)କୁ ଦାନ କରିଛନ୍ତି ।

ସମ୍ବନ୍ଧିତ ଖବର