ନୂଆଦିଲ୍ଲୀ : ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ପିକେ ସିଦ୍ଧାର୍ଥ ରାମକୁମାର ଏବଂ ରୁହାନୀ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଏଥର ୫ ଜଣ ବାଳିକା ଶ୍ରେଷ୍ଠ ୧୦ ରେ ସ୍ଥାନ ପାଇଛନ୍ତି ।

Advertisment

ପରୀକ୍ଷା ଫଳ ବାହାରିବା ପରଠାରୁ ସମସ୍ତେ ସଫଳ ହୋଇଥିବା ଯୁବକ-ଯୁବତୀଙ୍କ ବିଷୟରେ ଚର୍ଚ୍ଚା କରୁଥିବା ବେଳେ ଏବେ ଜଣେ ୟୁପିଏସସି ଆଶାୟୀଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ପରୀକ୍ଷା ଫଳ ବାହାରିବା ପରେ ଫେଲ ହୋଇଥିବା ଜାଣି ୟୁପିଏସସି ଆଶାୟୀ କୁନାଲ ଆର. ବିରୂଲକରଙ୍କ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି | ୧୨ଥର ଚେଷ୍ଟା କରି ବିଫଳ ହେବାପରେ ସେ 'ବୋଧହୁଏ ଜୀବନର ଦ୍ଵିତୀୟ ନାମ ସଂଘର୍ଷ' ବୋଲି ଲେଖି ପୋଷ୍ଟ କରିଛନ୍ତି |

ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, "୧୨ଥର ପ୍ରୟାସ କରି ୭ଥର ମେନ ଯାଏଁ ପହଞ୍ଚିବା ସହ ୫ଥର ସାକ୍ଷାତକାର ଯାଏ ଯାଇଛି | ହେଲେ ସଫଳ ହୋଇପାରିନାହିଁ | ବୋଧହୁଏ ଜୀବନର ଦ୍ଵିତୀୟ ନାମ ସଂଘର୍ଷ |" ତାଙ୍କର ଏଭଳି ପୋଷ୍ଟକୁ ନେଇ ଏବେ ଲୋକେ ତାଙ୍କ ମନୋବଳ ବଢାଇବା ଆରମ୍ଭ କରିଛନ୍ତି | ଏହା ସହ ସେ ଖୁବଶୀଘ୍ର ସଫଳ ହେବେ ବୋଲି ଲେଖିଛନ୍ତି |