ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ୨୦୨୨ ବର୍ଷ ପାଇଁ କରାଯାଇଥିବା ସିଭିଲ ସର୍ଭିସ ପରୀକ୍ଷାର ଚୂଡାନ୍ତ ପରୀକ୍ଷା ଫଳ ଆଜି (ମଙ୍ଗଳବାର) ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୯୩୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଶୀର୍ଷ ସ୍ଥାନ (ଟପର) ଅଧିକାର କରିଛନ୍ତି ୪ ଜଣ ଝିଅ। ଶ୍ରେଷ୍ଠ ୪ ଜଣଙ୍କ ମଧ୍ୟରୁ ୩ ଜଣ ଟପର୍ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ହୋଇଥିବା ବେଳେ କେବଳ ଜଣେ ଆଇଆଇଟି ହାଇଦ୍ରାବାଦରୁ ପାଠପଢ଼ିଛନ୍ତି।
ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ୧ନମ୍ବର ର୍ୟାଙ୍କରେ ଥିବା ଇଶିତା କିଶୋର, ୨ ନମ୍ବର ର୍ୟାଙ୍କରେ ଥିବା ଗରିମା ଲୋହିଆ ଏବଂ ୪ ନମ୍ବର ର୍ୟାଙ୍କରେ ଥିବା ସ୍ମୃତି ମିଶ୍ର ସମସ୍ତେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ଅଧୀନରେ ଥିବା ବିଭିନ୍ନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ୩ ନମ୍ବର ର୍ୟାଙ୍କରେ ଥିବା ଉମା ହରଥି ଆଇଆଇଟି ହାଇଦ୍ରାବାଦରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
ସିଭିଲ ସର୍ଭିସ ପରୀକ୍ଷାର ୧ନମ୍ବର ର୍ୟାଙ୍କରେ ଥିବା ଇଶିତା କିଶୋର ଡିୟୁରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ଶ୍ରୀରାମ ବାଣିଜ୍ୟ ମହାବିଦ୍ୟାଳୟ (ଏସଆରସିସି)ରେ ବିଏ ଅନର୍ସ ଡିଗ୍ରି ହାସଲ କରିଥିଲେ।
ସେହିପରି ୨ ନମ୍ବର ର୍ୟାଙ୍କରେ ଥିବା ଗରିମା ଲୋହିଆ ଡିୟୁର କିରୋରୀମଲ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଶେଷ କରିଥିଲେ।
୪ ନମ୍ବର ର୍ୟାଙ୍କରେ ଥିବା ସ୍ମୃତି ମିଶ୍ର ଡିୟୁ ଅଧୀନରେ ଥିବା ମିରାଣ୍ଡା ହାଉସ ମହାବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ବିଏସସି ଡିଗ୍ରି ହାସଲ କରିଥିଲେ।
ଉମା ହରଥି ଏନ୍ ସର୍ବଭାରତୀୟ ରାଙ୍କ୍ ୩ ହାସଲ କରିଛନ୍ତି। ଉମା ସିଭିଲ ଇଞ୍ଜିନିୟରିଂରେ ଆଇଆଇଟି ହାଇଦ୍ରାବାଦ ସ୍ନାତକ ହାସଲ କରିଥିଲେ।
ଉଲ୍ଲେଖଯୋଗ୍ୟ, ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ୍ସ ୨୦୨୨ ଜୁନ୍ ୫, ୨୦୨୨ରେ ଅନୁଷ୍ଠିତ ହୋଇଥିଲା। ମୋଟ ୫,୭୩,୭୩୫ ଜଣ ପରୀକ୍ଷାର୍ଥୀ ପ୍ରିଲିମ୍ସ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୩,୦୯୦ ଜଣ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରି ୟୁପିଏସସି ମେନ୍ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ମୋଟ ୨,୫୨୯ ଜଣ ପରୀକ୍ଷାର୍ଥୀ ପରବର୍ତ୍ତୀ ବ୍ୟକ୍ତିତ୍ୱ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ମେ’ ୧୮, ୨୦୨୩ରେ ବ୍ୟକ୍ତିତ୍ୱ ପରୀକ୍ଷା ଶେଷ ହୋଇଥିଲା। ବ୍ୟକ୍ତିତ୍ୱ ପରୀକ୍ଷା ପରେ ୯୩୩ ଜଣ ନିଯୁକ୍ତି ପାଇଁ ଚୟନ ହୋଇଛନ୍ତି। ଚୟନ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୬୧୩ ଜଣ ପୁରୁଷ ହୋଇଥିବା ବେଳେ ୩୨୦ ଜଣ ହେଉଛନ୍ତି ମହିଳା।