ବର୍ଷା ନ ହେବାରୁ ଈଶ୍ବରଙ୍କ ଉପରେ ରାଗି ମନ୍ଦିରରେ ପଶି ହନୁମାନଙ୍କ ମୂର୍ତ୍ତି ଭାଙ୍ଗିଲେ ୪୫ ବର୍ଷୀୟ ବ୍ୟକ୍ତି

ନୂଆଦିଲ୍ଲୀ: ବର୍ଷା ନ ହେବା କାରଣରୁ ଈଶ୍ବରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦିଲ୍ଲୀର ଜଣେ ବ୍ୟକ୍ତି କରିଥିବା ଆଚରଣ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ୪୫ ବର୍ଷୀୟ ବ୍ୟକ୍ତି ଜଣକ ମଙ୍ଗଳବାର ଦିଲ୍ଲୀର ଦ୍ବାରକାସ୍ଥିତ କାକ୍‌ରୋଲା ଗାଁରେ ଥିବା ଏକ ମନ୍ଦିରରୁ ହନୁମାନଙ୍କ ମୂର୍ତ୍ତି ଭଙ୍ଗ କରି ନିଜର କ୍ରୋଧ ଜାହିର କରିଥିବାର ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ମହେଶ। ସେ ଏପରି କାଣ୍ଡ ଘଟାଇବା ପରେ ଦିଲ୍ଳୀ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ମଙ୍ଗଳବାର ସକାଳେ ହନୁମାନ ମନ୍ଦିରର ପୂଜାରି ମନ୍ଦିର ଭିତରେ ଭଗବାନ ହନୁମାନଙ୍କ ଭଙ୍ଗା ମୂର୍ତ୍ତି ପଡ଼ିଥିବାର ଦେଖିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏହି ଘଟଣା ସଙ୍ଗେ ସଙ୍ଗେ ସାରା ଅଞ୍ଚଳରେ ଖେଳିଗଲା ଓ ଅଞ୍ଚଳର ହନୁମାନ ଭକ୍ତମାନେ ଏହାକୁ ନିନ୍ଦା କରିବା ସହ ତୀବ୍ର ବିରୋଧ ପ୍ରଦର୍ଶନ ମଧ୍ୟ କରିଥିଲେ । ଦିଲ୍ଳୀ ପୁଲିସ୍‌ ସିସିଟିଭି ଫୁଟେଜ୍‌ ସାହାଯ୍ୟରେ ଅଭିଯୁକ୍ତଙ୍କୁ ଧରି ଗିରଫ କରିବାରେ ସମର୍ଥ ହୋଇଛି।

ସିସିଟିଭି ଫୁଟେଜ୍‌କୁ ଭିତ୍ତିକରି ପୁଲିସ୍‌ ସୂଚନା ଦେଇ କହିଛି ଯେ ମହେଶ ଏକ କମଳା ରଂଗର ପୋଷାକ ପିନ୍ଧି ହାତରେ ଏକ କୁରାଢ଼ୀ ଧରି ମନ୍ଦିର ଭିତରକୁ  ପ୍ରବେଶ କରିଥିଲେ। ଦ୍ବାରକା ପୁଲିସ୍‌ର ଡେପୁଟି କମିସନରଙ୍କ କହିବା ମୁତାବକ ସେ କେବଳ ମନ୍ଦିର ଭିତରୁ ହନୁମାନ ମୂର୍ତ୍ତି ଭାଙ୍ଗିନାହାନ୍ତି, ବରଂ ସେଠାରେ ଥିବା ଅନ୍ୟ କେତକ ଆସବାବପତ୍ର ସହ ଗଛକୁ ମଧ୍ୟ କୁରାଢ଼ୀରେ କାଟିଥିବା ସୂଚନା ରହିଛି।

ପୁଲିସ୍‌ ମହେଶକୁ ଧରି ପଚରାଉଚରା କରିବାରୁ ସେ କାହିଁକି ଏପରି କରିଛନ୍ତି ବୋଲି ମାନିଛନ୍ତି। ସେ କହିଛନ୍ତି କି ତାପମାତ୍ରା ବୃଦ୍ଧି ଓ ବର୍ଷା ନହେବା କାରଣରୁ ଈଶ୍ବରଙ୍କ ଉପରେ ରାଗି କରି ସେ ଏପରି କରିଛନ୍ତି।

ସମ୍ବନ୍ଧିତ ଖବର