ବଦଳି ଆଦେଶ ବାତିଲ କରିବାକୁ ସ୍କୁଲ୍‌ ଛାତରେ ଛାତ୍ରୀମାନଙ୍କୁ ଅଟକ ରଖିଲେ ୨ଜଣ ଶିକ୍ଷୟିତ୍ରୀ

ଲଖିମ୍‌ପୁର ଖେରି: ବଦଳି ଆଦେଶ ବାତିଲ କରିବା ଲାଗି ଜିଲ୍ଲା କର୍ତ୍ତୃପକ୍ଷମାନଙ୍କ ଉପରେ ଚାପ ପକାଇବା ଲାଗି ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରି ଜିଲ୍ଲାର ବେହେଜାମ୍‌ସ୍ଥିତ ‘କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ’ର ପ୍ରାୟ ୨୪ଜଣ ଛାତ୍ରୀଙ୍କୁ ୨ଜଣ ଶିକ୍ଷକ ଛାତ ଉପରେ ଅଟକ ରଖିଥି‌ବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଗୁରୁବାର ରାତିରେ ଘଟିଥିଲା। କେତେ ଘଣ୍ଟା ପରେ ସରକାରୀ ଅଧିକାରୀ ଏବଂ ସ୍ଥାନୀୟ ପୁଲିସ ଛାତ୍ରୀମାନଙ୍କୁ ଛାତ୍ରୀ ନିବାସକୁ ଫେରାଇ ଆଣିବାରେ ସମର୍ଥ ହୋଇଥିଲେ।

Image Courtesy of India Today

ଗଣମାଧ୍ୟମକୁ ଲଖିମ୍‌ପୁର ଖେରିର ମୌଳିକ ଶିକ୍ଷା ଅଧିକାରୀ ଲକ୍ଷ୍ମୀକାନ୍ତ ପାଣ୍ଡେ କହିଛନ୍ତି, ଶୃଙ୍ଖଳିତ କରିବା ଲାଗି ଅନ୍ୟ ‘କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ’କୁ ହୋଇଥିବା ବଦଳି ଆଦେଶ ରଦ୍ଦ କରିବା ପାଇଁ ଜିଲ୍ଲା ସରକାରୀ କର୍ତ୍ତୃପକ୍ଷମାନଙ୍କ ଉପରେ ଚାପ ପକାଇବା ଲାଗି ଶିକ୍ଷକମାନେ ଉପରୋକ୍ତ କୌଶଳ ଅବଲମ୍ବନ କରିଥିଲେ।

ଛାତ୍ରୀ ନିବାସ ୱାର୍ଡେନ୍‌ ଲଳିତ କୁମାରୀଙ୍କ ଠାରୁ ଘଟଣା ସଂକ୍ରାନ୍ତରେ ସୂଚନା ପାଇ ପାଣ୍ଡେ ଓ ‘ଡିଷ୍ଟ୍ରିକ୍ଟ୍‌ କୋଅର୍ଡିନେଟର୍‌ ଅଫ୍‌ ଗର୍ଲସ୍‌ ଏଜୁକେସନ୍‌’ ରେଣୁ ଶ୍ରୀବାସ୍ତବ ସ୍କୁଲ୍‌କୁ ଆସି ଅନେକ ସମୟ ଧରି ସେଠାରେ ରହିଥିଲେ। ଶେଷରେ ମହିଳା ପୁଲିସଙ୍କୁ ଡକାଯାଇ ଘଟଣାର ସମାଧାନ କରାଯାଇଥିଲା।

ମନୋରମା ମିଶ୍ରା ଏବଂ ଗୋଲ୍‌ଡି କାତିୟାର୍‌ ନାମକ ଉକ୍ତ ଶିକ୍ଷୟିତ୍ରୀ ଦ୍ବୟଙ୍କ ନାମରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି। ଏହାଛଡ଼ା, ଘଟଣା ସଂକ୍ରାନ୍ତରେ ବିଭାଗୀୟ ତଦନ୍ତ ଆଦେଶ ମଧ୍ୟ ଦିଆଯାଇଛି। ତିନି ଦିନ ମଧ୍ୟରେ ଗୋଟାଏ କମିଟି ମଧ୍ୟ ଘଟଣା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବ।

ସମ୍ବନ୍ଧିତ ଖବର