ଲକ୍ଷ୍ନୌ : ପତ୍ନୀ ଅତ୍ୟାଚାରରେ ଅତିଷ୍ଠ ହୋଇ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ମାସେ ହେଲା ୮୦ ଫୁଟ ଉଚ୍ଚ ଏକ ତାଳ ଗଛରେ ରହୁଛି । ପରିବାର ଲୋକ ଓ ଗ୍ରାମବାସୀ ଯେତେ ବୁଝାଇଲେ ବି ତଳକୁ ଆସିବାକୁ ରାଜି ହେଉନାହିଁ ।

Advertisment

ଉତ୍ତରପ୍ରଦେଶ ମାଉ ଜିଲ୍ଲାର କୋପାଗଞ୍ଜଠାରେ ରହୁଥିବା ୪୨ ବର୍ଷୀୟ ରାମ ପରଭେସ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଗତ ୬ ମାସ ହେଲା ବିବାଦ ଲାଗି ରହିଛି । ଏପରିକି ପତ୍ନୀ ତାଙ୍କୁ ପିଟୁଥିବାର ସେ ଅଭିଯୋଗ କରିଛନ୍ତି । ଏଥିରେ ସେ ଅତିଷ୍ଠ ହୋଇ ସେ ଗତ ପ୍ରାୟ ଏକ ମାସ ହେଲା ନିଜ ଘର ପାଖରେ ରହି ଏକ ତାଳ ଗଛରେ ଚଢି ରହୁଛନ୍ତି । ପ୍ରଥମେ ତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ଯେତେ ବୁଝାଇଲେ ବି ତଳକୁ ଆସିବାକୁ ରାଜି ହେଉନାହିଁ । ବାଧ୍ୟ ହୋଇ ପରିବାର ଲୋକ ଏକ ରସି ସାହାଯ୍ୟରେ ଖାଦ୍ୟ ଗଛ ଉପରକୁ ପଠାଇଦେଉଛନ୍ତି । ରାତିରେ ସମସ୍ତେ ଶୋଇ ପଡ଼ିବା ପରେ ସେ ତଳକୁ କିଛି ସମୟ ଶୌଚ ପାଇଁ ଓହ୍ଲାଉଛନ୍ତି ।

ଏହି ଖବର ପାଇ ସ୍ଥାନୀୟ ପୁଲିସ ଆସି ତାଙ୍କୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ ବି ସେ ଓହ୍ଲାଇ ନଥିଲା । ଫଳରେ ପୁଲିସ ନିରାଶ ହୋଇ ଫେରିଯାଇଥିଲା ।

ଅନ୍ୟପକ୍ଷରେ ସେ ଗଛରେ ଚଢି ରହୁଥିବାରୁ ପଡ଼ୋଶୀ ଲୋକମାନଙ୍କ ପାଇଁ ଆଉ ଏକ ସମସ୍ୟା ଦେଖାଦେଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ ରାମ ପରଭେସ ଗଛ ଉପରୁ ଥାଇ ଅନ୍ୟମାନଙ୍କ ଘରେ କଣ ଘଟୁଛି ତାହା ଦେଖୁଛି । ବିଶେଷ କରି ଝିଅ ବୋହୁମାନଙ୍କ ଉପରେ ନଜର ରଖୁଛି । ଘଟଣାଟି ସେଠାରେ ଚର୍ଚ୍ଚାର ବିଷୟ ହୋଇଛି ।