ଭାରତରେ ଅପପୁଷ୍ଟି ୨୦୨୨ ସୁଦ୍ଧା ୩୧.୪% ଶିଶୁ ହେବେ ଶିକାର

ନୂଆଦିଲ୍ଲୀ: ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି। ଚାଉଳ, ଗହମଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟଶସ୍ୟ ଉତ୍ପାଦନ ଭାରତରେ ବୃଦ୍ଧି ପାଇଛି। ଖାଦ୍ୟ ନିରାପତ୍ତା ଦିଗରେ ବିକାଶମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ ହୋଇଛି। କିନ୍ତୁ ଏସବୁ ସତ୍ତ୍ବେ ଭାରତରେ ଅପୁପଷ୍ଟି ମାତ୍ରା ବଢ଼ୁଛି। ପ୍ରାୟ ସବୁ ଅଂଚଳରେ ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଅସମାନତା, ଜନସଂଖ୍ୟା ବୃଦ୍ଧି, ଖାଦ୍ୟ ନଷ୍ଟ ଏବଂ ଖାଦ୍ୟ ରପ୍ତାନି ‌ଯୋଗୁଁ ଭାରତରେ ମୁଣ୍ଡ ପିଛା ଖାଦ୍ୟ ଲୋକଙ୍କୁ ସଜହରେ ମିଳୁନି। ଏଥିପାଇଁ ସବୁଠୁ ଅଧିକ ଅନ୍ୟାୟର ଶିକାର ହୋଇଛନ୍ତି ଭାରତୀୟ ଶିଶୁ। ମହିଳାମାନେ ମଧ୍ୟ ଅପପୁଷ୍ଟିର ଶିକାର ହୋଇଛନ୍ତି। ୨୦୨୨ ସୁଦ୍ଧା ଭାରତରେ ଅବିକଶିତ ଶିଶୁଙ୍କ ସଂଖ୍ୟା ୩୧.୪ ପ୍ରତିଶତରେ ପହଞ୍ଚିବ ବୋଲି ୨୦୧୯ ଜାତୀୟ ଖାଦ୍ୟ ଏବଂ ପୋଷଣ ସୁରକ୍ଷା ଆକଳନ ରିପୋର୍ଟରୁ ଜଣାପଡ଼ିଛି। ୱାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମ୍‌ (ଡବ୍ଲ୍ୟୁଏଫ୍‌ପି) ଏବଂ ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ନୟନ ମନ୍ତ୍ରାଳୟ ଦ୍ବାରା ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି।
ରିପୋର୍ଟରେ ଦର୍ଶାଯାଇଛି ‌ଯେ ଖାଦ୍ୟ ନିରାପତ୍ତା ବୃଦ୍ଧି ଦିଗରେ ସକରା‌ତ୍ମକ ପଦକ୍ଷେପ ଗ୍ରହଣ ହୋଇଥିଲେ ସୁଦ୍ଧା ସମାନ୍ତରାଳ ଭାବେ ଅପପୁଷ୍ଟି ମାତ୍ରା କମିନାହିଁ। ଶିଶୁଙ୍କ ସହ ମହିଳାମାନଙ୍କଠାରେ ମଧ୍ୟ ଭିଟାମିନ୍‌ ଏ, ଆଇରନ୍‌ ଏବଂ ଆୟୋଡିନ ଅଭାବ ଦେଖାଦେଇଛି। ଉଲ୍ଲେଖଯୋଗ୍ୟ ଗତ ୨ ଦଶନ୍ଧି ମଧ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୩୩ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ୨୦୩୦ରେ ଯେଉ ଟା‌ର୍ଗେଟ୍‌ ଉତ୍ପାଦନ ଲକ୍ଷ୍ୟ ରହିଛି ଏହା ତାହାର ଅଧା ବୋଲି ରିପୋର୍ଟରେ କୁହାଯାଇଛି। ପୂର୍ବାପେକ୍ଷା ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିଲେ ସମାନ ଅନୁପାତରେ‌ ଲୋକଙ୍କୁ ଏହା ମିଳୁନାହିଁ। ଫଳ ସ୍ବରୂପ ଭାରତୀୟ ଜନସଂଖ୍ୟାର ୩୦ ପ୍ରତିଶତ ଯେଉଁମାନେ କି ଅତ୍ୟଧିକ ଅଭାବର ଶିକାର ହୋଇଛନ୍ତି ସେମାନେ ଦୈନନ୍ଦିନ ନିଜ ଶରୀର ଆବଶ୍ୟକ କରୁଥିବା କ୍ୟାଲୋରି ଗ୍ରହଣ କରିପା‌ରୁନାହାନ୍ତି।
ଦୈନିକ ଜ‌ଣେ ବ୍ୟକ୍ତି ୨୧୫୫ କିଲୋ କ୍ୟାଲୋରି ଗ୍ରହଣ କରିବା ନିର୍ଦ୍ଧାରିତ ଥିବା ବେଳେ, ୩୦ ପ୍ରତିଶତ ଭାରତୀୟ ଦୈନିକ ମାତ୍ର ୧୮୧୧ କିଲୋ କ୍ୟାଲୋରି ଗ୍ରହଣ କରିବାରେ ସକ୍ଷମ ହେଉଛନ୍ତି। ‌ତେବେ ଖାଦ୍ୟଶସ୍ୟର ଉଚିତ୍‌ ବିଭାଜନ ହୋଇ ପାରୁନଥିବାରୁ ଭାରତୀୟ ଶିଶୁମାନେ ଏହାଦ୍ବାରା ସବୁଠୁ ବେଶୀ ଅନ୍ୟାୟର ଶିକ‌ାର ହେଉଛନ୍ତି। ଅଧିକାଂଶ ଶିଶୁ କୁପୋଷଣର ଶିକାର ହୋଇଛନ୍ତି। ବିହାରରେ ୪୮ ପ୍ରତିଶତ ଶିଶୁଙ୍କର ସେମାନଙ୍କ ବୟସ ଅନୁପାତରେ ଶାରୀରିକ ବିକାଶ ହୋଇପାରୁ ନଥିବା ବେଳେ ଉତ୍ତରପ୍ରଦେଶରେ ୪୬ ପ୍ରତିଶତ ଶିଶୁଙ୍କର ଶାରୀରିକ ବିକାଶ ହୋଇପାରୁନି । କେରଳ ଓ ଗୋଆରେ ୨୦ ପ୍ରତିଶତ ଶିଶୁ ସେମାନଙ୍କ ବୟସ ଅନୁପାତରେ ବଢ଼ି ପାରୁନାହାନ୍ତି। ରିପୋର୍ଟ ଅନୁଯାୟୀ ଅନୁସୂଚିତ ଜାତିରେ ୪୨.୫ ପ୍ରତିଶତ, ଅନୁସୂଚିତ ଜନଜାତି କ୍ଷେତ୍ରରେ ୪୩.୬ ପ୍ରତିଶତ ଶିଶୁ କୁପୋଷଣର ଶିକାର ହୋଇଛନ୍ତି। ସଠିକ୍‌ ଶିକ୍ଷାଗତ ଯୋଗ୍ୟାତା ନଥିବା ମା’ ମାନଙ୍କଠାରୁ ଜନ୍ମ ନେଇଥିବା ଶିଶୁମାନଙ୍କର ସେମାନଙ୍କ ବୟସ ତୁଳନାରେ ଶାରୀରିକ ବିକାଶ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର