ଧାରା ୩୭୦ ହଟିବା ପରେ କଶ୍ମୀର ମହିଳା ଜମି ବିକ୍ରି ପାଇଁ ଦେଲେ ଅଫର

ସୁରଟ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସମଗ୍ର ଦେଶରେ ଖୁସିର ଲହରି ଦେଖିବାକୁ ମିଳିଛି। ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ କିଛି ଲୋକ ଜମ୍ମୁ-କଶ୍ମୀରରେ ଜମି ଓ ସମ୍ପତ୍ତି କିଣିବାର ସ୍ୱପ୍ନ ବି ଦେଖି ସାରିଲେଣି। ଏହି କ୍ରମରେ ସୁରଟରେ ରହୁଥିବା ଜମ୍ମୁ-କଶ୍ମୀରର ଜଣେ ଯୁବତୀ ନିଜର ଜମି ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

କଶ୍ମୀର ପଣ୍ଡିତ ମହିଳା ମୃଦୁଳା ଅନେକ ଦିନ ହେବ ବିବାହ କରି ସୁରଟରେ ବସବାସ କରି ଆସୁଛନ୍ତି। ମୃଦୁଳା ରାଜସ୍ଥାନରୁ ସାମ୍ବାଦିକତା ପାଠପଢ଼ିବା ପରେ ସୋନକ ବର୍ମାଙ୍କ ସହିତ ବିବାହ କରି ନେଇଥିଲେ। ମୃଦୁଳା ଯେତେବେଳେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଖବର ଶୁଣିଥିଲେ, ସେ ତାଙ୍କ କଶ୍ମୀରରେ ଥିବା ଜମିକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ମା’-ବାପା ଓ ଭାଇ ଏବେ ବି କଶ୍ମୀରରେ ରହୁଛନ୍ତି।

ଧାରା ୩୭୦ ଉଚ୍ଛେଦ ପୂର୍ବରୁ ଯେଉଁ ନିୟମ ଥିଲା, ସେହି ନିୟମ ଅନୁଯାୟୀ କଶ୍ମୀର ବାସିନ୍ଦା କଶ୍ମୀର ବ୍ୟତୀତ ବାହାରର କୌଣସି ବ୍ୟକ୍ତିଙ୍କୁ ଜମି ବିକ୍ରି କରି ପାରିବେ ନାହିଁ। ଏହି ନିୟମ ହେତୁ ତାଙ୍କ ଜମି ଏପର୍ଯ୍ୟନ୍ତ ଖାଲି ପଡ଼ିଥିଲା। ମୃଦୁଳା ସୁରତରେ ଫଟୋଗ୍ରାଫିର ବ୍ୟବସାୟ କରୁଛନ୍ତି।

ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ସୋସିଆଲ ମିଡିଆରେ କଶ୍ମୀରରେ ଜମି କିଣିବାକୁ ନେଇ ବିଭିନ୍ନ ପ୍ରକାର ବ୍ୟାଙ୍ଗାତ୍ମକ ମେସେଜ ଭାଇରାଲ ହେଉଛି। କିନ୍ତୁ ମୃଦୁଳା ଏହାକୁ ଗମ୍ଭୀରତା ସହ ନେଇ କଶ୍ମୀରରେ ରହୁଥିବା ତାଙ୍କ ପିତା-ମାତାଙ୍କ ସହ ଏ ବିଷୟରେ ଆଲୋଚନା ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର