ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳ ମାମଲା : ଓଡ଼ିଶାକୁ ସୁପ୍ରିମକୋର୍ଟଙ୍କ ଲକ୍ଷେ ଟଙ୍କାର ଜରିମାନା

ନୂଆଦିଲ୍ଲୀ : ସହରାଞ୍ଚଳ ବାସହୀନ ଲୋକଙ୍କ ପାଇଁ ଆଶ୍ରୟସ୍ଥଳ ମାମଲାରେ ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୨୨, ୨୦୧୮ର ଆଦେଶ ପାଳନ ହୋଇ ନଥିବାରୁ ଓଡ଼ିଶାକୁ ଲକ୍ଷେ ଟଙ୍କା ଜରିମାନା କରାଯାଇଛି। ଓଡ଼ିଶା ସମେତ ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଗୋଆ, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ ଏବଂ ତ୍ରିପୁରାକୁ ମଧ୍ୟ ସୁପ୍ରିମକୋର୍ଟ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ହେଲେ ହରିୟାଣା ରାଜ୍ୟ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ମାର୍ଚ୍ଚ ୨୨, ୨୦୧୮ରେ ସୁପ୍ରିମକୋର୍ଟ ଆଶ୍ରୟସ୍ଥଳ ମାମଲାର ଆଦେଶରେ ରାଜ୍ୟମାନଙ୍କୁ କମିଟି ଗଠନ କରି ସେହି କମିଟିମାନଙ୍କରେ ସିଭିଲ୍‌ ସୋସାଇଟିର ପ୍ରତିନିଧିମାନଙ୍କୁ ସାମିଲ୍‌ କରିବାପାଇଁ କହିଥିଲେ। ଅବସରପ୍ରାପ୍ତ ସଚିବସ୍ତରୀୟ ଅଧିକାରୀ ତଥା ସହର ବିକାଶ ବିଭାଗର ମୁଖ୍ୟ ସଚିବଙ୍କୁ ତିନି ଜଣିଆ କମିଟିରେ ସାମିଲ୍‌ କରିବାପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣିଆ କମିଟି ପାଇଁ ସିଭିଲ୍‌ ସୋସାଇଟିର ପ୍ରତିନିଧିଙ୍କ ନାମ ଓ ଠିକଣା ସମ୍ପର୍କରେ କୌଣସି ପ୍ରକାର ସୂଚନା ପ୍ରଦାନ କରାଯାଇ ନଥିବା କୁହାଯାଉଛି। ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ସହରାଞ୍ଚଳ ବାସହୀନ ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ମାମଲାର ଶୁଣାଣି କରୁଛନ୍ତି।

ସମ୍ବନ୍ଧିତ ଖବର