କଂଗ୍ରେସ ଓ ସହରୀ ନକ୍ସଲମାନେ ନାଗରିକତା ଆଇନ ସଂପର୍କରେ ମିଛ ପ୍ରଚାର କରୁଛନ୍ତି : ମୋଦୀ

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନକୁ ନେଇ ସାରା ଦେଶରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଥିବାବେଳେ ବିରୋଧୀ ଦଳମାନେ ନିଆଁରେ ଘିଅ ଢାଳୁଛନ୍ତି । ସେମାନେ ମିଛ ଭିଡ଼ିଓ ଜାରି କରି ହିଂସାକୁ ପ୍ରେତ୍ସାହନ ଦେଉଛନ୍ତି । କଂଗ୍ରେସ ଓ ସହରୀ ନକ୍ସଲମାନେ ନାଗରିକତା ଆଇନ ସଂପର୍କରେ ମିଛ ଓ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ଧନ୍ୟବାଦ ର‍୍ୟାଲିରେ ଉଦବୋଧନ ଦେଇ ପ୍ରଥାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସଂସଦର ଗତ ଅଧିବେଶନର ଗୃହୀତ ହୋଇଥିବା ନାଗରିକତା ଆଇନର ଉଦ୍ଦେଶ୍ୟ ହେଉଛି ଆମ ପଡ଼ୋଶୀ ଦେଶରେ ଅତ୍ୟାଚାରର ଶିକାର ହେଉଥିବା ସଂଖ୍ୟାଲଘୁଙ୍କୁ ଆଶ୍ରୟ ଦେବା । ଏହି ଆଇନକୁ ଗୃହୀତ କରିଥିବାରୁ ସେ ସଂସଦ ନିକଟରେ କୃତଜ୍ଞ ବୋଲି ମୋଦୀ କହିଛନ୍ତି । ଏହି ଐତିହାସିକ ଆଇନ ସପକ୍ଷରେ ସମସ୍ତେ ବାହାରିବା ଉଚିତ ବୋଲି ସେ କହିଛନ୍ତି । କିନ୍ତୁ ବିରୋଧୀଦଳ ଏହି ଆଇନ ସଂପର୍କରେ ମିଥ୍ୟା ପ୍ରଚାର କରୁଛନ୍ତି । କଂଗ୍ରେସ ପକ୍ଷରୁ କୁହାଯାଉଛି ଯେ ଦେଶର ମୁସଲିମମାନଙ୍କୁ ବନ୍ଦୀ କରି ରଖାଯିବ । କିନ୍ତୁ ଏହା ସଂପୂର୍ଣ୍ଣ ମିଛ ।

ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର