ନଦୀ ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା: ଓଡିଶାରେ ହେବ ୪ଟି ସଚେତନତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ନଦୀ ସଂଯୋଗ ଅଭିଯାନର କ୍ରିୟାନ୍ବୟନ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କେନ୍ଦ୍ର ସରକାର ନଦୀ ସଂଯୋଗୀକରଣ ପରିଯୋଜନା ଅନ୍ତର୍ଗତ ୩୦ଟି ନଦୀକୁ ଯୋଡିବାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ମହାନଦୀ-ଗୋଦାବରୀ ଲିଙ୍କ୍‌ ମଧ୍ୟ ସାମିଲ ଅଛି, ଯାହାର ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ ହୋଇସାରିଛି। ୩୦ଟି ନଦୀକୁ ଯୋଡ଼ିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୮ଟି ବୈଠକ ତଥା ନଦୀ ସଂଯୋଗ ସମ୍ପର୍କିତ ଟାସ୍କ ଫୋର୍ସ ଦ୍ୱାରା ୧୨ଟି ବୈଠକ ହୋଇସାରିବା ପରେ ମଧ୍ୟ କିଛି ରାଜ୍ୟ ସରକାରଙ୍କ ବିରୋଧ ଓ ଆପତ୍ତି ଯୋଗୁଁ ନଦୀ ସଂଯୋଗୀକରଣ ପ୍ରକଳ୍ପର ଗତି ଧିମେଇଯାଇଛି। ଏହି ପରିଯୋଜନା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ‘ଆଜାଦୀ କି ଅମୃତ ମହୋତ୍ସବ’ ଅନ୍ତର୍ଗତ ଜାତୀୟ ଜଳ ବିକାଶଏଜେନ୍‌ସୀ ଦ୍ୱାରା ରାଜ୍ୟମାନଙ୍କରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭୁବନେଶ୍ୱରରେ ଚଳିତ ବର୍ଷ ମେ ୩ରେ ତଥା ଆସନ୍ତା ବର୍ଷ ମାର୍ଚ୍ଚ ୧୪, ମେ ୩୦ ଓ ଅଗଷ୍ଟ ୧ରେ ନଦୀ ସଂଯୋଗୀକରଣ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ବିସ୍ତୃତ କାର୍ଯ୍ୟସୂଚୀରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର