ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶାସନଭାର ଗ୍ରହଣ କରିବାର ସପ୍ତାହକ ପରେ ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍ଏ) ଜେକ୍ ସୁଲିଭାନ୍ ସେମାନଙ୍କ ଭାରତୀୟ ପ୍ରତିପକ୍ଷ ଯଥାକ୍ରମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଏନ୍ଏସ୍ଏ ଅଜିତ୍ ଡୋଭାଲଙ୍କ ସହ ପୃଥକ୍ ଭାବେ ଗତ ବୁଧବାର ଫୋନ୍ରେ କଥା ହୋଇଛନ୍ତି। ଡୋଭାଲ୍-ସୁଲିଭାନ୍ଙ୍କ କଥାବାର୍ତ୍ତା ଭିତରେ ଆତଙ୍କବାଦ ସମସ୍ୟା, ଉପକୂଳ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭାରତ-ପ୍ରଶାନ୍ତମହାସାଗରୀୟ କ୍ଷେତ୍ର ଓ ଶାନ୍ତି -ସ୍ଥିରତା ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା। ଭାରତ ପରିପ୍ରେକ୍ଷୀରେ ଏସବୁ ପ୍ରସଙ୍ଗ ଚୀନ୍ ଓ ପାକିସ୍ତାନ ପ୍ରତି ପରୋକ୍ଷ ସନ୍ଦେଶ ସଦୃଶ ହୋଇଛି।
ସେହିପରି ମାତ୍ର ଦୁଇ ଦିନ ତଳେ ଅଷ୍ଟିନ୍ କାର୍ଯ୍ୟଭାର ସମ୍ଭାଳିଥିବା ବେଳେ ରାଜନାଥଙ୍କ ସହ ତାଙ୍କ କଥାବାର୍ତ୍ତା ମଧ୍ୟ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ତାଙ୍କ ଭିତରେ ହୋଇଥିବା ୧୫-୨୦ ମିନିଟ୍ର ସଂକ୍ଷିପ୍ତ ବାର୍ତ୍ତାଳାପରେ ବିଭିନ୍ନ ଅନ୍ତର୍ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗ ପରିପ୍ରେକ୍ଷୀରେ ପାରସ୍ପରିକ ସ୍ବାର୍ଥ ରକ୍ଷା ପାଇଁ ଦ୍ବିପାକ୍ଷିକ ସାମରିକ ସମ୍ପର୍କ ବୃଦ୍ଧି ପାଇଁ ଆଲୋଚନା ହୋଇଥିବା ରାଜନାଥ ଟ୍ବିଟ୍ କରି କହିଛନ୍ତି। ସେହିପରି ପେଣ୍ଟାଗନ୍ର ମୁଖପାତ୍ରଙ୍କ କହିବାନୁସାରେ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ଅବାଧ ଓ ମୁକ୍ତ ରଖିବା ଲାଗି ନିଶ୍ଚିତ କରାଇବା ଉଦ୍ଦେଶ୍ୟରେ ଆମେରିକା ଓ ଭାରତ ମଧ୍ୟରେ ଥିବା ପ୍ରମୁଖ ପ୍ରତିରକ୍ଷା ଭାଗୀଦାରି ଉପରେ ଅଷ୍ଟିନ୍ ଗୁରୁତ୍ବାରୋପ କରିଥିଲେ। ବାଇଡେନ୍ ପ୍ରଶାସନ ଭାରତ ସହ ଦ୍ବିପାକ୍ଷିକ ସଂପର୍କକୁ ଅଧିକ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛି।