ଶ୍ରୀନଗର: ଗତକାଲି ପୁଞ୍ଚ୍ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ୩୦୦ ମିଟର ଭିତରକୁ ପାକ୍ ସେନାର ବିମାନ ପଶିଆସିଥିବାବେଳେ ଆଜି ଦକ୍ଷିଣ କଶ୍ମୀରର ବାରମୁଳା ଜିଲ୍ଳାର ଉରି ସେକ୍ଟରରେ ପାକ୍ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଉରି ସେକ୍ଟରର ଚ୍ରୁନ୍ଦାରେ ଆଜି ସକାଳ ୮ଟାରୁ ପାକ୍ ସେନା ଭାରତୀୟ ଆଗୁଆ ପୋଷ୍ଟ ଗୁଡ଼ିକୁ ଲକ୍ଷ୍ୟ କରି ପ୍ରବଳ ଗୁଳିମାଡ଼ ଜାରି ରଖିଛି। ସୀମାବର୍ତ୍ତୀ ୯ଟି ଗ୍ରାମ ଉପରେ ଆଜି ପୁଣି ମୋର୍ଟାର ମାଡ଼ ହେବାରୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। କିଛିଦିନ ତଳେ ଘର ଛାଡ଼ି ସୁରକ୍ଷା ଶିବିରରେ ରହିଥିବା ଗ୍ରାମବାସୀମାନେ ନିକଟରେ ଘରକୁ ଫେରିଥିବା ବେଳେ ଆଜି ଘନଘନ ମୋର୍ଟାର ମାଡ଼ ପରେ ଭୟଭୀତ ଲୋକେ ପୁଣି ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଭାରତୀୟ ସେନା ପାକ୍ ଗୁଳିବର୍ଷାର କଡ଼ା ଜବାବ ଦେଉଛି। ଉଭୟ ପଟୁ ଭାରୀ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ପ୍ରାୟ ମାସେ ହେଲା ସୀମାବର୍ତ୍ତୀ ୨୪ଟି ଗ୍ରାମକୁ ପାକ୍ ସେନା ଟାର୍ଗେଟ୍ କରିଥିବା ବେଳେ ୨୦ ହଜାରରୁ ଅଧିକ ଲୋକ ସୁରକ୍ଷିତ ଆଶ୍ରୟରେ ରହିଛନ୍ତି। ସୀମାବର୍ତ୍ତୀ ସ୍କୁଲ୍ଗୁଡ଼ିକ ମଧ୍ୟ ବନ୍ଦ ରହିଛି । ପାକ୍ ରେଂଜର୍ସଙ୍କ ଅସ୍ତ୍ରବିରତି ଉଲ୍ଲଂଘନର ଠିକଣା ଜବାବ ଆଜି ଭାରତ ଦେଇଛି ବୋଲି ପ୍ରତିରକ୍ଷା ମୁଖପାତ୍ର ରାଜେଶ କାଲିଆ କହିଛନ୍ତି। ଉତ୍ତର କଶ୍ମୀରର କୁପ୍ଓ୍ଵାଡ଼ା ଜିଲ୍ଲାର ତଙ୍ଗଧାରରେ ପାକିସ୍ତାନ ସେନା ସ୍ନାଇପର ଆକ୍ରମଣରେ ଜଣେ ବିଏସଏଫ କନଷ୍ଟେବଳ ସହିଦ ହେବାର ଦୁଇଦିନ ପରେ ଆଜି ପାକ୍ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମା ଅଂଚଳରେ ଆତଙ୍କ ସୃଷ୍ଟି କରିଛି। ପାକିସ୍ତାନ ଅଧିକୃତ କଶ୍ମୀରରେ ପାକ୍ ସେନା ସହାୟତାରେ ତାଲିମ ନେଇଥିବା ଆତଙ୍କବାଦୀମାନେ ଭାରତରେ ପଶିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା ବେଳେ ଏହାକୁ ରୋକିବା ପାଇଁ ଭାରତ ସବୁ ପ୍ରୟାସ ଜାରି ରଖିଛି।
ବାନ୍ଦିପୁରାରେ ଏନ୍କାଉଣ୍ଟର
ଶ୍ରୀନଗର: ଜମ୍ମୁ କଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ଆଜି ସୁରକ୍ଷାବାହିନୀ- ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ହାଜିନ୍ ଅଞ୍ଚଳର ପାରିବଲ୍ ଗ୍ରାମରେ ୩ ଜଣ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ଆଜି ସକାଳେ ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯାଇଥିଲା। ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନ ଚାଲିଥିବା ସମୟରେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଏହାର ପାଲଟା ଜବାବ ଦେଇ ସୁରକ୍ଷାକର୍ମୀ ମଧ୍ୟ ଘମାଘୋଟ ଗୁଳିବର୍ଷା କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ରାତି ୧୦ଟା ସୁଦ୍ଧା ପାରିବଲ୍ ଗ୍ରାମରେ ଗୁଳିବିନିମୟ ଜାରି ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/main-qimg-41b21574b4b10c013582496f7ae57262-c.jpg)