କେନ୍ଦ୍ର ସରକାରଙ୍କ ସହ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଗୋପନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ଏପରି ଅପ୍ରତ୍ୟାଶିତ ମୁହାଁମୁହିଁ ପରିସ୍ଥିତି ନେଇ ଆର୍‌ବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ନଭେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ୍‌ର ଲକ୍ଷ୍ୟ ଥିଲା ଅର୍ଥ ମନ୍ତ୍ରାଳୟ ସହ ରିଜର୍ଭ ବ୍ୟାଙ୍କ୍‌ର ଚାଲିଥିବା ମତାନ୍ତରକୁ ସମାପ୍ତ କରିବା। ମୋଦିଙ୍କୁ ଭେଟିବା ପୂର୍ବରୁ ଉର୍ଜିତ ପଟେଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନ୍ୟ ସବୁ ବରିଷ୍ଠ ଅଧିକାରୀମାନଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ।

ସୂଚନା ଅନୁସାରେ, କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର ଗଚ୍ଛିତ ପାଣ୍ଠିରୁ ୩.୬ ଲକ୍ଷ କୋଟି ଟଙ୍କା ସରକାରଙ୍କ ପାଣ୍ଠିକୁ ଆଣିବା ଲାଗି ଚାହୁଁଛନ୍ତି। ମାତ୍ର ଏ ନେଇ ରିଜର୍ଭ ବ୍ୟାଙ୍କ ସହମତି ପ୍ରକାଶ କରିନାହିଁ। ସରକାର କ୍ଷୁଦ୍ର ଓ ମଧ୍ୟମ ବର୍ଗର ଶିଳ୍ପଙ୍କୁ ସହଜ ଋଣ ପ୍ରଦାନ କରିବାକୁ ଏହି ଅର୍ଥ ଚାହୁଁଥିବା ଜଣାପଡ଼ିଛି। ତେବେ ଏହାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଗ୍ରହଣ କରି ନ ଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆରବିଆଇ ଆକ୍ଟର ୭ମ ଧାରା ପ୍ରୟୋଗ କରି ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ମସୁଧା କରୁଥିବା ଆଲୋଚନା ହୋଇଛି। ଏପରି ହେଲେ ରିଜର୍ଭ ବ୍ୟାଙ୍କର ସ୍ୱୟଂଶାସିତ ବ୍ୟବସ୍ଥାରେ ହସ୍ତକ୍ଷେପ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ରିଜର୍ଭ ବ୍ୟାଙ୍କ୍‌ ଓ ସରକାରଙ୍କ ମଧ୍ୟରେ ଏହି ପ୍ରସଙ୍ଗ ନେଇ ବିବାଦ ଦେଖା ଦେଇଛି। ମାତ୍ର ଏବେ ଏହା ସ୍ପଷ୍ଟ ହୋଇପାରୁ ନାହିଁ ଯେ ନନ୍‌-ବ୍ୟାଙ୍କିଂ ଫାଇନାନ୍ସ କମ୍ପାନିଗୁଡ଼ିକ ପାଇଁ ଆର୍‌ବିଆଇ ପକ୍ଷରୁ କୌଣସି ସହଜ ମାଗ ନିର୍ଦ୍ଧାରିତ ହୋଇଛି ନା ନାହିଁ।

ସମ୍ବନ୍ଧିତ ଖବର