ମୋଦୀଙ୍କୁ ଡବଲ୍‌ ଝଟ୍‌କା : ଉର୍ଜିତ ପଟେଲ୍‌ଙ୍କ ଇସ୍ତଫା

ଅଧା ବାଟରୁ ହଟିବାରେ ପଞ୍ଚମ ଗଭର୍ଣ୍ଣର, ହାତ ଛାଡ଼ିଲେ କେନ୍ଦ୍ରମନ୍ତ୍ରୀ

ଉର୍ଜିତଙ୍କୁ ମିସ୍ କରିବୁ: ପ୍ରଧାନମନ୍ତ୍ରୀ, ବିଶ୍ବନାଥନ୍‌ ହୋଇପାରନ୍ତି ଅନ୍ତରୀଣ ମୁଖ୍ୟ

ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ : ଗତକିଛି ଦିନ ଧରି କେନ୍ଦ୍ର ସରକାରଙ୍କ ସହିତ ମୁହାଁମୁହିଁ ଅବସ୍ଥାରେ ଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଆଜି ଅଚାନକ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲି ସେ ଦର୍ଶାଇଛନ୍ତି। କିନ୍ତୁ ପ୍ରକୃତରେ କେନ୍ଦ୍ର ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ସେ ପଦ ଛାଡ଼ିଥିବା କୁହାଯାଉଛି। ହଠାତ ଏଭଳି ପଦକ୍ଷେପ ନେଇ ସେ ସାରା ଦୁନିଆକୁ ଚକିତ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ତାଙ୍କର ଇସ୍ତଫା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରି ନାହାନ୍ତି। ଅନ୍ୟପକ୍ଷରେ ସେମାନେ ଉର୍ଜିତଙ୍କର ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳମାନେ ଉର୍ଜିତଙ୍କ ଇସ୍ତଫା ପାଇଁ ମୋଦୀ ସରକାରଙ୍କୁ ଦାୟୀ କରିଛନ୍ତି।

୧୯୯୦ ପରଠାରୁ କୌଣସି ଗଭଣ୍ଣର ଇସ୍ତଫା ଦେବାରେ ଏହା ହେଉଛି ପ୍ରଥମ ଘଟଣା। ୨୦୧୬ରେ ରଘୁରାମ ରାଜନଙ୍କ ଉତ୍ତରାଧିକାରୀ ଭାବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ସେ ନିଯୁକ୍ତି ପାଇଥିଲେ। ତାଙ୍କୁ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଦାୟିତ୍ବ ପ୍ରଦାନ କରାଯାଇଥିଲା।

ଆସନ୍ତା ଶୁକ୍ରବାର ଦିନ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ବୋର୍ଡ ବୈଠକ ପୂର୍ବରୁ ଉର୍ଜିତଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇଛି। ଉର୍ଜିତଙ୍କ ସ୍ଥାନରେ ରିଜର୍ଭ ବ୍ୟାଙ୍କ ବୋର୍ଡର ସବୁଠୁ ବରିଷ୍ଠ ଡେପୁଟି ଗଭର୍ଣ୍ଣର ଏନ୍‌ଏସ୍‌ ବିଶ୍ବନାଥନ୍‌ଙ୍କୁ ଅନ୍ତରୀଣ ମୁଖ୍ୟ ଭାବେ ନିଯୁକ୍ତ କରାଯିବ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରୁ ପ୍ରାୟ ଡଜନେରୁ ଅଧିକ ପ୍ରସଙ୍ଗକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଗତ ଅକ୍ଟୋବର ମାସରେ ଏହି ଫାଟକୁ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ସାର୍ବଜନୀନ କରିଦେଇଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ଖରାପରୁ ଅତି ଖରାପ ଆଡ଼କୁ ଗତି କରିଥିଲା। ଉର୍ଜିତ ଯେକୌଣସି ସମୟରେ ଇସ୍ତଫା ଦେଇପାରନ୍ତି ବୋଲି ନଭେମ୍ବର ମାସରେ ଅନୁମାନ କରାଯାଉଥିଲା।

ସରକାରଙ୍କ ‌ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକୁ ଖୋଲାଖୋଲି ସମାଲୋଚନା କରୁଥିବା ରାଜନଙ୍କ ଉତ୍ତରାଧିକାରୀ ଭାବେ ଉର୍ଜିତଙ୍କୁ ଚୟନ କରାଯାଇଥିଲା। କିନ୍ତୁ ସେ ସରକାରଙ୍କ ସବୁ କଥା ମାନିବାକୁ ରାଜି ହୋଇନଥିଲେ। ସରକାରଙ୍କ ସବୁଠୁ ବଡ଼ ପଦକ୍ଷେପ ବିମୁଦ୍ରୀକରଣ ବେଳେ ଚୁପ୍ ରହିଥିବା ଉର୍ଜିତ ଅଧା ବାଟରେ ଦାୟିତ୍ବରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁଜରାଟ ସହ ସମ୍ପର୍କ ଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକ କୁହାଯାଉଥିଲା। ସେହି କଥାକୁ ସେ ଭୁଲ ପ୍ରମାଣିତ କରିଛନ୍ତି। ଯେଉଁଭଳି ଚୁପ୍‌ଚାପ ଆସିଥିଲେ, ସେହିଭଳି ଢଙ୍ଗରେ ଇସ୍ତଫା ଦେଇ ସେ ଚାଲିଯାଇଛନ୍ତି। କିଛି ଆଲୋଚନା କିମ୍ବା କାହାକୁ ସମାଲୋଚନା କରିନାହାନ୍ତି।

ଉର୍ଜିତଙ୍କ ଇସ୍ତଫା ଖବର ପ୍ରଚାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉର୍ଜିତଙ୍କ ଇସ୍ତଫା ତାଙ୍କୁ ଚକିତ କରିନାହିଁ। ଯାହା ଜଣାପଡ଼ୁଛି ସେ ଇସ୍ତଫା ଦେବେ ବୋଲି ସରକାର ଜାଣିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଉର୍ଜିତ ଜଣେ ସତ୍ୟନିଷ୍ଠ ବ୍ୟକ୍ତି ଓ ତାଙ୍କ ଅଭାବ ଅନୁଭୂତ ହେବ। ସେହିପରି ଜେଟ୍‌ଲି କହିଛନ୍ତି ଯେ, ଉର୍ଜିତଙ୍କ ସହିତ କାମ କରିବାରେ ଖୁସି ଲାଗୁଥିଲା। ତାଙ୍କର ଭବିଷ୍ୟତ ପାଇଁ ମୁଁ ଶୁଭକାମନା ଜଣାଉଛି। ଉର୍ଜିତଙ୍କ ଇସ୍ତଫାକୁ ନେଇ ମୋଦୀ କିମ୍ବା ଜେଟ୍‌ଲି ବିଶେ‌ଷ ଆଶ୍ଚର୍ଯ୍ୟ ପ୍ରକଟ କରିନାହାନ୍ତି।

କିନ୍ତୁ ବିରୋଧୀ ଦଳଗୁଡ଼ିକ ଉର୍ଜିତ ପାଇଁ ଲଢ଼େଇ କରିବା ଓ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ଦଳ ଭୂମିକା ନିର୍ବାହ କରୁଥିବା ଦେଶର ୧୨ଟି ରାଜନୈତିକ ଦଳ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଆରମ୍ଭ କରି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ, ଏବେ ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ ଥିବା ଆର୍‌ଏସ୍‌ଏସ୍‌ ଚିନ୍ତାଧାରାର ବ୍ୟକ୍ତି ଏସ୍‌ ଗୁରୁମୂର୍ତି ଓ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ‘ଉର୍ଜିତଙ୍କ ଇସ୍ତଫା’କୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସବୁ ଭାରତୀୟ ଚିନ୍ତା ପ୍ରକଟ କରିବା ଦରକାର ବୋଲି ରାଜନ କହିଥିବା ବେଳେ ଚିଦମ୍ବରମ୍ କହିଛନ୍ତି ଯେ ଇସ୍ତଫା ଦେଇ ଉର୍ଜିତ ସରକାରଙ୍କ ପାଇଁ ବାଟ ଖୋଲିଦେଲେ।

ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ରିଜର୍ଭ ବ୍ୟାଙ୍କ ଉପରେ ଧାରା ୭ ଭଳି କଠୋର ନିୟମକୁ ସରକାର ଲାଗୁ କରିଥିବା ଚର୍ଚା ହୋଇଥିଲା। କିନ୍ତୁ ଏହାର ସତ୍ୟତା ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ।

ଗତ ଅକ୍ଟୋବର ମାସରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଏକ ସାର୍ବଜନୀନ ସଭାରେ ଅଭିଯୋଗ କରିଥିଲେ ଯେ, ରିଜର୍ଭ ବ୍ୟାଙ୍କ କାମରେ ସରକାର ହସ୍ତକ୍ଷେପ କରୁଛନ୍ତି। ଏହାର ପରିଣାମ ଭୟଙ୍କର ହୋଇପାରେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏହା ପରେ ରିଜର୍ଭ ବ୍ୟାଙ୍କ ଉପରେ ସରକାରଙ୍କ ତରଫରୁ କଠୋର ‘ଦାରା ୭’ ଲାଗୁ କରାଯାଇଥିଲା ବୋଲି ଆଲୋଚନା ହେଉଥିଲା। ସେହିଦିନ ଠାରୁ ଅନୁମାନ କରାଯାଉଥିଲା ଯେ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଯେକୌଣସି ସମୟରେ ଇସ୍ତଫା ଦେଇପାରନ୍ତି। ମାତ୍ର ଗତ ନଭେମ୍ବର ୧୯ ତାରିଖରେ ଅନୁଷ୍ଠିତ ହୋଇଯାଇଥିବା ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ସୁରୁଖୁରୁରେ ଶେଷ ହେବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା। ମାତ୍ର ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ୯.୩୬ ଲକ୍ଷ କୋଟି ଟଙ୍କା ଉପରେ ସରକାରଙ୍କ ଆଖି ପକାଇବା ଭଳି କେତେକ ପ୍ରସଙ୍ଗକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ସମ୍ପର୍କ ପୂର୍ବଭଳି ତିକ୍ତ ରହିଥିଲା। ପୂର୍ବରୁ ଏନ୍‌ପିଏ, ୧୧ଟି ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଲଗାଇଥିବା ଋଣ କଟକଣା, ଏନ୍‌ବିଏଫ୍‌ସିରେ ନଗଦ ଟଙ୍କା ସଙ୍କଟ ଭଳି ପାଖାପାଖି ୧୨ଟି ପ୍ରସଙ୍ଗକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ମତଭେଦ ଥିଲା।

ଅଧା ବାଟରେ ଇସ୍ତଫା ଦେଇଥିବା ପଞ୍ଚମ ଗଭର୍ଣ୍ଣର

କାର୍ଯ୍ୟକାଳ ଅବଧିରେ ଇସ୍ତଫା ଦେବାରେ ଉର୍ଜିତ ପଟେଲ୍ ହେଉଛନ୍ତି ଦେଶର ପଞ୍ଚମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର। ୧୯୫୭ରେ ଅର୍ଥମନ୍ତ୍ରୀ ଟିଟି କ୍ରିଷ୍ଣମଚାରିଙ୍କ ସହ ମତଭେଦ ହେବାରୁ ସେହି ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ତୁଲାଉଥିବା ବେନେଗଲ ରାମା ରାଉଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ୧୯୭୭ରେ କେ କେ ପୁରୀ ଇସ୍ତଫା ଦେଇଥିଲେ। ସରକାର ବଦଳିଯିବାକୁ ୧୯୯୦ରେ ଆର୍‌ ଏନ୍ ମଲ୍‌ହୋତ୍ରା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ୧୯୯୨ ଡିସେମ୍ବରରେ ଚତୁର୍ଥ ଗଭର୍ଣ୍ଣର ଭାବେ ଏସ୍‌ ଭେଙ୍କିଟରମଣନ୍ ଇସ୍ତଫା ଦେଇଥିଲେ।

ଭାରତୀୟମାନଙ୍କ ପାଇଁ ଚିନ୍ତାର ବିଷୟ: ରାଜନ

ମୁମ୍ବାଇ : ଉର୍ଜିତ ପଟେଲଙ୍କ ଇସ୍ତଫାକୁ ଏକ ପ୍ରତିବାଦ ବୋଲି କହିଛନ୍ତି ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ସେ କହିଲେ, ପଟେଲଙ୍କ ଇସ୍ତଫା ବଡ଼ ଚିନ୍ତାର ବିଷୟ। ଏଭଳି କ’ଣ ଘଟଣା ଘଟିଲା ଯେଉଁଥିପାଇଁ ସେ ଇସ୍ତଫା ଦେବାକୁ ମନ ସ୍ଥିର କଲେ ତାହା ପ୍ରଥମେ ଜାଣିବାକୁ ପ୍ରୟାସ କରାଯିବା ଦରକାର। ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଥିବା ସମ୍ପର୍କରେ ଯେଭଳି ଆହୁରି ଖରାପ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ଜଣେ ସରକାରୀ କର୍ମଚାରୀଙ୍କ କିମ୍ବା ନିୟାମକ ସଂସ୍ଥାର ମୁଖ୍ୟଙ୍କ ଇସ୍ତଫା ହେଉଛି ଏକ ପ୍ରକାର ପ୍ରତିବାଦର ସ୍ବର। ଏହା ଜରିଆରେ ସେ ଜଣାଇବାକୁ ଚାହୁଁଛନ୍ତି ‌ଯେ ତାଙ୍କ ଉପରେ ଜବରଦସ୍ତ ଲଦି ଦିଆଯାଉଥିବା ନୀତିକୁ ନେଇ କାମ କରିବା କଷ୍ଟକର। ଉର୍ଜିତଙ୍କ ଭଳି ଜଣେ ସମ୍ମାନସ୍ପଦ ସରକାରୀ କର୍ମଚାରୀ କେବେ ବି ହାଲୁକା ଭାବେ ଏଭଳି ନିଷ୍ପତ୍ତି ନେଇନଥିବେ ବୋଲି ସେ କହିଛନ୍ତି। ପଟେଲ୍‌ଙ୍କ ଇସ୍ତଫାକୁ ନେଇ ସମସ୍ତ ଭାରତୀୟ ଚିନ୍ତା ପ୍ରକଟ କରିବା ଦରକାର ବୋଲି ସେ କହିଛନ୍ତି।

ହାତ ଛାଡ଼ିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍ଏଲ୍ଏସପି) ସଭାପତି ତଥା କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏଥିସହିତ ବିଜେପି ନେତୃତ୍ବାଧାନ ଏନ୍‌ଡିଏଠାରୁ ମଧ୍ୟ ତାଙ୍କ ଦଳ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଛି। ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ କୁଶୱାହଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇଛି। କୁଶୱାହ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କ ସହିତ ବିଶ୍ବାସଘାତ କରାଯାଇଛି ବୋଲି ସେ ଏଥିରେ ଦର୍ଶାଇଛନ୍ତି।

ସରକାର ଗରିବ ଓ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ ବିରୋଧୀଙ୍କୁ କଳ‌େ‌ବଳେ କୌଶଳେ ଦମନ କରିବାରେ ଲାଗିଛନ୍ତି । ଏଥିସହିତ ଆରଏସ୍‌ଏସ୍‌ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ସେ ଚାପ ଅନୁଭବ କରୁଥିବାରୁ ଗୋଟିଏ ମିନିଟ୍ ମଧ୍ୟରେ ମନ୍ତ୍ରିମଣ୍ଡଳରେ ରହିବାକୁ ଚାହାନ୍ତି ‌ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଏଥିସହିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି।

ବିହାରରେ ଆଗାମୀ ଦିନରେ ତାଙ୍କ ଦଳ ଆରଜେଡି ଓ କଂଗ୍ରେସ ସହିତ ହାତ ମିଳାଇପାରେ‌ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର