ଋଷିଆଠାରୁ ଅସ୍ତ୍ର କିଣୁଥିବା ଦେଶଙ୍କ ଉପରେ କଟକଣା ଲଗାଇବ ଆମେରିକା, କିନ୍ତୁ ଭାରତ ପାଇଁ ସବୁ ମାଫ୍‌

ଓ୍ଵାସିଂଟନ : ଖାସ୍‌ ଭାରତ ପାଇଁ ଆମେରିକା ନିଜର ଏକ ସାମରିକ ଆଇନରେ ସଂଶୋଧନ କରିବାକୁ ଯାଉଛି । ଏହି ଆଇନ ବଳରେ ଋଷିଆର ବନ୍ଧୁ ରାଷ୍ଟ୍ରମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବେ ଟ୍ରମ୍ପ ସରକାର । କିନ୍ତୁ ଋଷିଆର ବନ୍ଧୁ ରାଷ୍ଟ୍ର ହୋଇଥିଲେ ମଧ୍ୟ ଭାରତ ପାଇଁ ଏହି ଆଇନକୁ କୋହଳ କରାଯିବ ।

ବିଶ୍ୱରେ ଚୀନର ପ୍ରଭାବ ରୋକିବାକୁ ଭାରତକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହୁଁଛି ଆମେରିକା । ଇତି ମଧ୍ୟରେ ଭାରତକୁ ଆମେରିକାର ଶସ୍ତ୍ରଶସ୍ତ୍ର ରପ୍ତାନି ଅନେକ ଗୁଣ ବଢିଯାଇଛି । ଭାରତ ବିଶ୍ୱରେ ବୃହତ୍ତମ ଅସ୍ତ୍ର ଆମଦାନିକାରୀ ହୋଇଥିବାବେଳେ ଆମେରିକା ଭାରତର ୨ୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହୋଇଛି । କିନ୍ତୁ ଆମେରିକା ସହ ଭାରତର ସଂପର୍କ ବୃଦ୍ଧି ସତ୍ତ୍ୱେ ଭାରତ ନିଜର ପୁରୁଣା ବନ୍ଧୁ ଋଷିଆକୁ ଛାଡ଼ିପାରିନାହିଁ । ଏବେ ମଧ୍ୟ ଋଷିଆ ଭାରତର ବୃହତ୍ତମ ଅସ୍ତ୍ର ଯୋଗାଣକାରୀ ରହିଛି ।

ଗତ ବର୍ଷ ଆମେରିକା କଂଗ୍ରେସରେ ଏକ ନୂଆ ଆଇନ ପାସ ହୋଇଛି । ଏହାର ନାଁ ହେଉଛି ସିଏଏଟିଏସଏ (କାଉଣ୍ଟରିଂ ଆମେରିକାସ ଆଡଭର୍ସାରିଜ୍‌ ଥ୍ରୁ ସାଙ୍କସନ୍ସ ଆକ୍ଟ ) । ଯେଉଁ ଦେଶମାନେ ଆମେରିକାର ଶତ୍ରୁ ଋଷିଆଠାରୁ ସାମରିକ ଅସ୍ତ୍ରଶସ୍ତ୍ର କିଣୁଛନ୍ତି ସେମାନଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଇବ ଆମେରିକା । ଏବେ ସେସବୁ ଦେଶମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ଋଷିଆ ତ ରହିଛି, ଆହୁରି ମଧ୍ୟ ଋଷିଆର ବନ୍ଧୁରାଷ୍ଟ୍ର ଇରାନ, ସିରିଆ, ଉତ୍ତରକୋରିଆ ଆଦି । କିନ୍ତୁ ଭାରତ ଋଷିଆରେ ସବୁଠାରୁ ବଡ଼ ଅସ୍ତ୍ରଆମଦାନୀ କାରି ହୋଇଥିବାରୁ ଏହି ଆଇନର ପ୍ରଭାବ ଭାରତ ଉପରେ ମଧ୍ୟ ପଡିବାର ଆଶଙ୍କା ରହିଛି । ତେବେ ଭାରତ ଏବେ ଆମେରିକାର ଏକ ପ୍ରମୁଖ ସହଯୋଗୀ ପାଲଟିଥିବାରୁ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁନାହିଁ । ଏଥିପାଇଁ ଟ୍ରମ୍ପ ସରକାର ଏହି ଆଇନରେ କିଛି ସଂଶୋଧନ କରିବାକୁ ବିଚାର କରୁଛନ୍ତି । ଅର୍ଥାତ ଭାରତ ପାଇଁ ଏହି ଆଇନକୁ କୋହଳ କରାଯିବ । ଆମେରିକାର ପ୍ରତିରକ୍ଷା ସଚିବ ଜନ ମାଟିସ୍‌ ଟ୍ରମ୍ପ ସରକାରଙ୍କୁ ଲେଖିଥିବା ଏକ ଗୋପନୀୟ ପତ୍ରରେ ଭାରତ ପାଇଁ ଏହି ଆଇନକୁ କୋହଳ କରିବାକୁ କହିଛନ୍ତି । ଆମେରିକାର ଜଣେ ବରିଷ୍ଠ କମାଣ୍ଡର ହ୍ୟାରୀ ହାରିସ କହିଛନ୍ତି ଯେ ଭାରତର ୭୦ ପ୍ରତିଶତ ମିଲିଟାରୀ ହାର୍ଡଓ୍ଵାର ଋଷିଆ ନିର୍ମିତ ହୋଇଥିବା ଆମେରିକା ଅବଗତ ଅଛି । ଏଣୁ ହଠାତ ଭାରତ ଋଷିଆକୁ ଛାଡିବା ସମ୍ଭବ ନୁହେଁ । ଏକଥା ଆମେରିକା ସରକାର ଅବଗତ ଅଛନ୍ତି ।

ସମ୍ବନ୍ଧିତ ଖବର