ଆମେରିକା ମାନିଲା, ୮ ତାରିଖରେ ହୋଇଥିବା ଇରାନ କ୍ଷେପଣାସ୍ତ୍ର ମାଡ଼ରେ ୧୧ ଆମେରିକୀୟ ସୈନିକ ଆହତ ହୋଇଛନ୍ତି

ଦୁବାଇ : ଇରାନ ପକ୍ଷରୁ ଗତ ୮ ତାରିଖରେ  ଇରାକସ୍ଥିତ ଆମେରିକା ସୈନ୍ୟ ଶିବିର ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ମାଡ଼ରେ କୌଣସି ଆମେରିକୀୟ ସୈନିକ ମୃତାହତ ହୋଇନଥିବା ଓ୍ଵାସିଂଟନ ପକ୍ଷରୁ କୁହାଯାଇଥିଲା । ଖୋଦ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ଦାବି କରିଥିଲେ । କିନ୍ତୁ ଆଜି ଆମେରିକା ସେନା ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ୧୧ ଜଣ ଆମେରିକୀୟ ସୈନିକ ଆହତ ହୋଇଛନ୍ତି ।

ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡର ମୁଖାପାତ୍ର କ୍ୟାପଟେନ ବିଲ ଅର୍ବାନ କହିଛନ୍ତି ଯେ ଗତ ୮ ତାରିଖ ରାତିରେ ଇରାକ ସ୍ଥିତ ଆମେରିକୀୟ ସୈନ୍ୟ ଶିବିର ଉପରେ ହୋଇଥିବା ଇରାନ କ୍ଷେପଣାସ୍ତ୍ର ଆକ୍ରମଣରେ ୧୧ ଜଣ ଆମେରିକୀୟ ସୈନିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଚିିକିତ୍ସା ପାଇଁ ଜର୍ମାନି ଓ ୩ ଜଣଙ୍କୁ କୁଏତରେ ଚିକିତ୍ସା କରାଯାଉଛି ।

ଗତ ଜାନୁଆରି ୩ ତାରିଖରେ ଆମେରିକା ଦ୍ୱାରା ଇରାନ ସେନାର କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ଏହାର କଠୋର ଜବାବ ଦିଆଯିବ ବୋଲି ଇରାନର ଧମକ ଦେଇଥିଲା । ଏହାର ୫ ଦିନ ପରେ ଅର୍ଥାତ ୮ ତାରିଖରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏଥିରେ ୮୦ ଜଣ ଆମେରିକୀୟ ସୈନିକ ନିହତ ହୋଇଛନ୍ତି ବୋଲି ଇରାନ ଦାବି କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଅସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର