ଚୀନ୍ ଓ ପାକିସ୍ତାନକୁ ପୁଣି ଧାର୍ମିକ ସ୍ବାଧୀନତା ଉଲ୍ଲଂଘନକାରୀ ଦେଶ ଭାବେ ଅଭିହିତ କଲା ଆମେରିକା

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ୍‌କୁ ଯୁକ୍ତରାଷ୍ଟ୍ର ଆମେରିକା ପୁଣି ଧାର୍ମିକ ସ୍ବାଧୀନତା ଉଲ୍ଲଂଘନକାରୀ ଦେଶ ଭାବେ ଅଭିହିତ କରିଛି। ସୋମବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ଘୋଷଣା କରିଛନ୍ତି ଯେ, ଚୀନ୍‌, ଏରିଟ୍ରିଆ, ଇରାନ୍, ନାଇଜେରିଆ, ମିଆଁମାର, ଉତ୍ତର କୋରିଆ, ପାକିସ୍ତାନ, ସାଉଦି ଆରବ, ତାଜକିସ୍ତାନ ଏବଂ ତୁର୍କମେନିସ୍ତାନକୁ ଆମେରିକା ‘ଆନ୍ତର୍ଜାତିକ ଧାର୍ମିକ ସ୍ବାଧୀନତା ଆଇନ୍ ୧୯୯୮’ ଆଧାରରେ ଧାର୍ମିକ ସ୍ବାଧୀନତା ଉଲ୍ଲଂଘନକାରୀ ଦେଶ ଭାବେ ଘୋଷଣା କରିଛି। ଏହି ସବୁ ଦେଶରେ ଯୋଜନାବଦ୍ଧ ଭାବେ ଧାର୍ମିକ ସ୍ବାଧୀନତା ଉଲ୍ଲଂଘନ କରାଯାଉଥିବା କଥା ସେ କହିଛନ୍ତି। ତେଣୁ ଏହିସବୁ ଦେଶପ୍ରତି କଟକଣାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

Image Courtesy of The Korea Herald

କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକାର ନିରାପତ୍ତାଜନିତ ସ୍ବାର୍ଥ ଦୃଷ୍ଟିରୁ ପାକିସ୍ତାନ, ସାଉଦି ଆରବ ଏବଂ ତାଜିକିସ୍ତାନ ଭଳି କେତେକ ଦେଶ ଉପରୁ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ କଟକଣା କୋହଳ କରିଥିଲା।

କିଛି ମାତ୍ରାରେ ଧାର୍ମିକ ସ୍ବାଧିନତା ଉଲ୍ଲଂଘନ କରୁଥିବା କାରଣରୁ କମୋରସ୍‌, କ୍ୟୁବା, ନିକାରାଗୁଆ ଏବଂ ରୁଷ୍‌କୁ ମଧ୍ୟ ସ୍ବତନ୍ତ୍ର ତାଲିକାଭୁକ୍ତ କରାଯାଇଛି ବୋଲି ପମ୍ପିଓ କହିଛନ୍ତି।

ସମ୍ବନ୍ଧିତ ଖବର