ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଉପରେ ଆମେରିକାର ବିମାନ ଆକ୍ରମଣ

ବାଗଦାଦ : ସମଗ୍ର ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଥିବାବେଳେ ଉଭୟ ଆମେରିକା ଓ ଇରାନ ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ରହିଛନ୍ତି । ଏହା ସତ୍ତ୍ୱେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଗୁରୁବାର ରାତିରେ ଆମେରିକା ସେନା ପକ୍ଷରୁ ଇରାକରେ ସକ୍ରିୟ ଥିବା କେତେକ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଉପରେ ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ହୋଇଥିବା ମୃତାହତଙ୍କ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ଗତକାଲି ଇରାକରେ ଥିବା ଆମେରିକୀୟ ସୈନ୍ୟ ଶିବିର ଉପରେ ରକେଟ ଆକ୍ରମଣ ହେବାରୁ ୩ ଆମେରିକା ଓ ବ୍ରିଟିସ ସୈନ୍ୟ ପ୍ରାଣ ହରାଇଥିଲେ ଓ ଅତିକମରେ ୧୦ ଜଣ ଆହତ ହୋଇଥିଲେ । ଏହାର ଜବାବରେ ଆମେରିକା ଗୁରୁବାର ରାତିରେ ବିମାନ ଆକ୍ରମଣ କରିଥିବା କୁହାଯାଉଛି । ଇରାକର ପବିତ୍ର ସହର କରବାଲାରେ ଏକ ନିର୍ମାଣାଧିନ ଏୟାରପୋର୍ଟ ଉପରେ ଏହି ଆକ୍ରମଣ କରାଯାଇଥିବା ଜଣାଯାଇଛି । ଏହାଛଡ଼ା ଆଉ ୩ଟି ସ୍ଥାନରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି । ଏ ସଂପର୍କରେ ଆମେରିକୀୟ ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ଇରାକରେ ସକ୍ରିୟ ଥିବା କଇତାବ ହିଜବୋଲ୍ଲା ସଂଗଠନ ଓ ପପୁଲାର ମୋବିଲାଇଜେସନ ଫୋର୍ସ ଅଧିନରେ ଥିବା ଅନ୍ୟ ସଂଗଠନଗୁଡ଼ିକ ଉପରେ ଏହି ପ୍ରତିରକ୍ଷାମୂଳକ ପ୍ରେସିସନ ଷ୍ଟ୍ରାଇକ କରାଯାଇଛି । ସେହିପରି ବ୍ରିଟିଶ ବୈଦେଶିକ ସଚିବ ଡୋମିନିକ ରାବ ମଧ୍ୟ ଏହି ଆକ୍ରମଣକୁ ସ୍ୱୀକାର କରିବା ସହ ଏହା ଆମେରିକା ସୈନ୍ୟ ଶିବିର ଉପରେ ହୋଇଥିବା ଆକ୍ରମଣର ଜବାବ ଥିଲା ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର