ଭାରତ ତିଆରି ‘ତେଜସ’ରେ ଉଡ଼ିଲେ ଆମେରିକା ବାୟୁସେନା ମୁଖ୍ୟ, ଦିନେ ଏହି ଯୁଦ୍ଧ ବିମାନ ଲାଗି ଟେକନଲୋଜି ଦେବାକୁ ମନା କରିଥିଲା ଆମେରିକା

ନୂଆଦିଲ୍ଲୀ: ସାଧାରଣତଃ ଆମେରିକା ପରି ଏକ ବିକଶିତ ଦେଶ ଭାରତ ପରି ବିକାଶଶୀଳ ଦେଶମାନଙ୍କୁ ଅତ୍ୟାଧୁନିକ ଯୁଦ୍ଧଜାହଜ ଓ ଅସ୍ତ୍ରଶସ୍ତ୍ର ବିକ୍ରି କରିଥାନ୍ତି । ପୁଣି ବେଳେବେଳେ ଏସବୁ ଦେଶମାନଙ୍କୁ ବିଭିନ୍ନ ଅତ୍ୟାଧୁନିକ ଟେକନଲୋଜୀ ହସ୍ତାନ୍ତର କରିବାରେ କଟକଣା ଜାରି କରିଥାନ୍ତି । କିନ୍ତୁ କ୍ୱଚିତ ଏପରି ଘଟଣା ଘଟିଥାଏ ଯେତେବେଳେ ଆମେରିକାର ଜଣେ ବରିଷ୍ଠ ସେନାମୁଖ୍ୟ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧବିମାନକୁ ଚଳାଇବା ସହ ତାହାର ତାରିଫ କରିଛନ୍ତି ।

ଏପରି ଏକ ଘଟଣା ଘଟିଛି ନିକଟରେ । ଭାରତ ଗସ୍ତରେ ଆସିଥିବା ଆମେରିକାର ବାୟୁସେନା ମୁଖ୍ୟ ଜେନେରାଲ ଡେଭିଡ୍‌ ଗୋଲ୍ଡଫେନ ଭାରତୀୟ ବାୟୁସେନାର ଯୋଧପୁର ବିମାନ ଘାଟିଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲକା ଯୁଦ୍ଧ ବିମାନ (ଲାଇଟ୍‌ କମ୍ବାଟ୍‌ ଏୟାରକ୍ରାଫ୍ଟ ବା ଏଲସିଏ) ତେଜସ୍‌କୁ ଉଡାଇଛନ୍ତି । ଏହି ବିମାନରେ ବ୍ୟବହୃତ ବିଭିନ୍ନ ଟେକନଲୋଜୀକୁ ସେ ତାରିଫ କରିଛନ୍ତି । ଜଣେ ବିଦେଶୀ ସେନାମୁଖ୍ୟଙ୍କ ଦ୍ୱାରା ତେଜସ୍‌ ଉଡ଼ାଇବାର ଏହା ପ୍ରଥମ ଘଟଣା ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନବେ ଦଶକରେ ଏହି ତେଜସ ବିମାନର ବିକାଶ ହାଲ୍‌ ଓ ଡିଆରଡିଏ ଦ୍ୱାରା କରାଯାଉଥିବାବେଳେ କେତେକ ଜରୁରୀ ଟେକନଲୋଜୀ ହସ୍ତାନ୍ତର ପାଇଁ ଆମେରିକା ମନା କରିଦେଇଥିଲା । ଆମେରିକୀୟ କମ୍ପାନି ଲକହିଡ୍‌ ମାର୍ଟିନ ଏହି ବିମାନ ପାଇଁ ଇଂଜିନ ପ୍ରଦାନ କରିଥାନ୍ତା । କିନ୍ତୁ ୧୯୯୮ରେ ଭାରତ ଦ୍ୱାରା ପୋଖରାନ ପରମାଣୁ ପରୀକ୍ଷଣ ପରେ ଆମେରିକା ଭାରତ ଉପରେ କଟକଣା ଲଗାଇବା ସହ ଏହି ଇଂଜିନ ପ୍ରଦାନ ପାଇଁ ମଧ୍ୟ ମନାକରିଦେଇଥିଲା ।

ଜେନେରାଲ ଗୋଲ୍ଡଫେନ ଭାରତକୁ ସରକାରୀ ଗସ୍ତରେ ଆସିବା ସହ ଭାରତୀୟ ବାୟୁସେନା ମୁଖ୍ୟ ଏୟାରମାର୍ଶାଲ ବିରେନ୍ଦ୍ର ସିଂ ଧାନୋଆଙ୍କୁ ଭେଟିଛନ୍ତି । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଭାରତ ସହ ସାମରିକ ସହଯୋଗକୁ ଆହୁରି ସୁଦୃଢ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର