ନୂଆଦିଲ୍ଲୀ: ସଂଗଠିତ ଅପରାଧୀ, ସଶସ୍ତ୍ର ଆକ୍ରମଣକାରୀ ଏବଂ ଆତଙ୍କବାଦୀମାନେ ପରସ୍ପର ସହ ମେଣ୍ଟ କରି ଭାରତ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଏ ନେଇ ଆମେରିକା ଭାରତକୁ ସତର୍କ କରାଇଦେଇଛି । ଆମେରିକାରୁ ମିଳିଥିବା ସୂଚନା ଉପରେ ଭାରତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହାର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ବୁଧବାର (ନଭେମ୍ବର ୨୯) ଏହି ସୂଚନା ଦେଇଛନ୍ତି।
ବାସ୍ତବରେ ଏଭଳି ସମୟରେ ଆମେରିକା ସରକାରଙ୍କ ପକ୍ଷରୁ ଅପରାଧୀଙ୍କ ସଂପୃକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି, ଯେତେବେଳେ କି ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ଭାରତ ଉପରେ ଆମେରିକା ଆରୋପ ଲଗାଇଥିବା ଏକ ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶ ପାଇଛି । ପନ୍ନୁ ଆମେରିକା ଓ ଭାରତରେ ବସି ଭାରତ ବିରୋଧରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଚଳାଇଥାଏ। ସେ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ ଜେଏଫ୍ ) ନାମକ ଏକ ବିଚ୍ଛିନ୍ନତାବାଦୀ ସଂଗଠନର ମୁଖ୍ୟ ମଧ୍ୟ ଅଛି।
ପ୍ରଥମ ଥର ପାଇଁ ଗତ ସପ୍ତାହରେ ଏହି ଖବର ଉପରେ ପ୍ରତିକ୍ରିୟା ରଖିଛି ଭାରତ । ନିକଟରେ ଭାରତ-ଆମେରିକା ସୁରକ୍ଷା ସହଯୋଗ ଉପରେ ହୋଇଥିବା ଆଲୋଚନା ସମୟରେ ଆମେରିକୀୟ ଅଧିକାରୀମାନେ ସଂଗଠିତ ଅପରାଧୀ, ସଶସ୍ତ୍ର ଆକ୍ରମଣକାରୀ, ଆତଙ୍କବାଦୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ କିଛି ସୂଚନା ଆଦାନପ୍ରଦାନ କରିଥିଲେ । ଏହି ସୂଚନା ଉଭୟ ଦେଶ ପାଇଁ ଚିନ୍ତାର କାରଣ ହୋଇଥିବାରୁ ଉଭୟ ଦେଶ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି।