ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ରୁଷ୍‌ ତେଲ କ୍ରୟ ଉପରେ ଲଗାଯାଇଥିବା କଟକଣାକୁ ଆମେରିକା ୩୦ ଦିନ ପାଇଁ କୋହଳ କରିଛି। ତେଣୁ ଭାରତ ଏବେ ଅବାଧରେ ରୁଷରୁ ବିପୁଳ ପରିମାଣର ତେଲ କିଣିପାରିବ। ସେଥିପାଇଁ ବାଟ ଫିଟିଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଗୁରୁବାର କହିଛନ୍ତି ଯେ ଭାରତୀୟ ତୈଳ କମ୍ପାନିଗୁଡ଼ିକୁ ରୁଷ ତୈଳ କ୍ରୟ କରିବାକୁ ଆମେରିକା ୩୦ ଦିନର ଛାଡ଼ ପ୍ରଦାନ କରିବ। ଏହାଦ୍ୱାରା ପରିବହନ କରାଯାଉଥିବା ତେଲକୁ ଭାରତ ସହଜରେ କିଣିପାରିବ।

Advertisment

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କୁ ନେଇ ନିଖୋଜ ଏପ୍‌ଷ୍ଟିନ୍‌ ଫାଇଲ ପ୍ରକାଶ କଲା ଆମେରିକା

 ସେ ଏହି ପଦକ୍ଷେପକୁ ବିଶ୍ୱ ଶକ୍ତି ବଜାରରେ ସ୍ଥିରତା ବଜାୟ ରଖିବା ପାଇଁ ଏକ ଅସ୍ଥାୟୀ ପଦକ୍ଷେପ ବୋଲି କହିଛନ୍ତି।ବେସେଣ୍ଟ କହିଛନ୍ତି ଯେ ସାରା ବିଶ୍ବରେ ତୈଳ ପ୍ରବାହକୁ ଜାରି ରଖିବା ପାଇଁ ଭାରତୀୟ କମ୍ପାନିଗୁଡ଼ିକୁ ରୁଷ ତୈଳ କ୍ରୟ ଅନୁମତି ଦିଆଯାଇଛି। ଏହାଦ୍ବାରା ରୁଷ ସରକାରଙ୍କୁ କୌଣସି ଆର୍ଥିକ ଲାଭ ମିଳିବ ନାହିଁ। କାରଣ ତେଲ ନେଇ ସମୁଦ୍ର ପଥରେ ବାହାରିଥିବା ଜାହାଜଗୁଡ଼ିକ ଉପରେ ଏହି ସୁବିଧା ଲାଗୁ ହେବ। କେବଳ ସମୁଦ୍ରରେ ଫସି ରହିଥିବା ଜାହାଜରୁ କମ୍ପାନିଗୁଡ଼ିକ ତେଲ କିଣିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ରୁଷରୁ ତେଲ କିଣୁଥିବାରୁ କ୍ଷୁବ୍ଧ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତବର୍ଷ ଅଗଷ୍ଟରେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କକୁ ଜରିମାନା ଭାବେ ଲାଗୁ କରିଥିଲେ। ଚଳିତ ବର୍ଷ ‌ଫେବ୍ରୁଆରି ୬ରେ ସେହି ଶୁଳ୍କକୁ ସେ ପ୍ରତ୍ୟାହାର କରିବା ସହ ଭାରତ ଉପରେ ଲାଗିଥିବା ମୋଟ୍‌ ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିଥିଲେ। ନିକଟରେ ଆମେରିକା ସୁପ୍ରିମକୋର୍ଟଙ୍କ ଏକ ରାୟରେ ଟ୍ରମ୍ପଙ୍କ ଶୁଳ୍କକୁ ଅସିଦ୍ଧ ଘୋଷଣା କରାଯାଇଥିଲା। ଏହାପରେ ଟ୍ରମ୍ପ ନିଜ ଆଡ଼ୁ ଦୁଇ ପର୍ଯ୍ୟାୟରେ ୧୫ ପ୍ରତିଶତ ଶୁଳ୍କ ଲଗାଇଥିଲେ। ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷର ଆୟ ଉତ୍ସ ବନ୍ଦ କରିବା ଲାଗି ତାହାର ତୈଳ ଉପରେ ଆମେରିକା କଟକଣା ଲଗାଇଥିଲା। ରୁଷର ଦୁଇ ତେଲ କମ୍ପାନି ରୋଜନେଫ୍ଟ ଓ ଲୁକୋଏଲ୍‌ ଉପରେ ମଧ୍ୟ କଟକଣା ଲାଗିଥିଲା। ଏହି କଟକଣା ପରେ ରୁଷରୁ ଭାରତ ମଗାଉଥିବା ତେଲ ପରିମାଣ ଯଥେଷ୍ଟ ହ୍ରାସ ପାଇଛି।

ଇରାନ ସହ ଆମେରିକା ଓ ଇସ୍ରାଏଲ ଯୁଦ୍ଧ କରୁଥିବାରୁ ବିଶ୍ବର ପ୍ରମୁଖ ତୈଳ ପରିବହନ ପଥ ହରମୁଜ୍‌ ପ୍ରଣାଳୀ ପ୍ରଭାବିତ ହୋଇଛି। ଇରାନ ସେହି ଜଳପଥକୁ ବନ୍ଦ କରିଥିବା ଦାବି ହେଉଛି। ହରମୁଜ୍‌ ପ୍ରଣାଳୀ ହେଉଛି ଏକ ସଂକୀର୍ଣ୍ଣ ଜଳପଥ ଯାହା ମଧ୍ୟ ଦେଇ ବିଶ୍ବର ୨୦ ପ୍ରତିଶତ ତୈଳ ଓ ତରଳୀକୃତ ପ୍ରାକୃତିକ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ପରିବହନ କରାଯାଉଛି। ଭାରତର ୫୦ ପ୍ରତିଶତ ତୈଳ ଏହି ପଥ ଦେଇ ଆସୁଛି। ହରମୁଜ୍‌ ପ୍ରଣାଳୀରେ ଯୋଗାଣ ବାଧାପ୍ରାପ୍ତ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ଦ୍ରୁତ ଗତିରେ ବଢ଼ୁଛି। ଏହା ୮୦ ଡଲାରରୁ ଅଧିକ ହୋଇଗଲାଣି। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ହରମୁଜ ପ୍ରଣାଳୀ ଖୋଲିବାକୁ ପଦକ୍ଷେପ ନିଆଯିବ ନାହିଁ ତେ‌ବେ ତୈଳ ଓ ଗ୍ୟାସ୍‌ ମୂଲ୍ୟରେ ଅହେତକୁ ବୃଦ୍ଧି ଆଶଙ୍କାକୁ ଏଡ଼ାଇ ହେବନାହିଁ।

ଆହୁରି ପଢ଼ନ୍ତୁ: ମା’ ଓ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରାଯିବ: ଶାହ