ପୁଣି ଟିକାକରଣ ପାଇଁ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ର କୋଭିଡ୍‌ ଟିକାକୁ ଅନୁମତି ଦେଲା ଆମେରିକା

ୱାସିଂଟନ୍: ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କୋଭିଡ୍‌ ଟିକାକରଣ ପୁଣି ଚାଲୁ ହେବ ବୋଲି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‌‘ହେଲ୍‌ଥ୍‌ ରେଗୁଲେଟର୍‌’ କହିଛନ୍ତି। ରକ୍ତ ଜମାଟ ବାନ୍ଧିବା କାରଣରୁ ଏହି ଟିକାକରଣ ସ୍ଥଗିତ ରଖାଯାଇଥିଲା।

ନିୟୁତ ନିୟୁତ ଆମେରିକୀୟ ଏହି ଟିକା ନେଇଥିଲେ। କିନ୍ତୁ, ଏହି ଟିକା ନେବାଦ୍ବାରା ମୁଷ୍ଟିମେୟ ଲୋକଙ୍କଠାରେ ଭୀଷଣ ରକ୍ତ ଜମାଟ ବାନ୍ଧିଥିବା କଥା ଜଣାପଡ଼ିଥିଲା। ତେଣୁ, ଏହି ଟିକାକରଣ ଉପରେ ରହିତାଦେଶ ଜାରି କରିବା ଲାଗି ଏପ୍ରିଲ୍‌୧୪ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ।

ମାତ୍ର ସମ୍ଭାବ୍ୟ ବିପଦ ଅପେକ୍ଷା ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ଟିକାର ଉପକାର ଅଧିକ ବୋଲି ଜାଣିବା ପରେ ଏକ ବିଶେଷଜ୍ଞ ଦଳ ରହିତାଦେଶ ଉଠାଇ ଦେବାକୁ ସୁପାରିସ କରିଥିଲେ।

Image Courtesy of India Today

‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ର ମୁଖ୍ୟ ଜାନେଟ୍‌ ଉଡ୍‌କକ୍‌ ‘ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍ସନ୍‌’ ସହ ମିଳିତ ବିବୃତି ଦେଇ କହିଛନ୍ତି, ୧୮ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ‘ଜାନ୍‌ସେନ୍‌’ କୋଭିଡ୍‌-୧୯ ଟିକାର ଉପକାର ପାର୍ଶ୍ବପ୍ରତିକ୍ରିୟା ଠାରୁ ଯଥେଷ୍ଟ ଭଲ।

‘ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍ସନ୍‌’ର ମୁଖ୍ୟ ରସେଲ୍‌ ୱାଲେନ୍‌ସ୍କି କହିଛନ୍ତି, ରକ୍ତ ଜମାଟ ବାନ୍ଧିବା ଘଟଣା ଖୁବ୍ କ୍ବଚିତ୍ ପରିଲକ୍ଷିତ ହୋଇଛି। ତେଣୁ ନିୟନ୍ତ୍ରକମାନେ ଟିକାକରଣ ଉପରେ ଦୃଷ୍ଟି ଦେବେ।

ଶୁକ୍ରବାର ଦିନ ଉପସ୍ଥାପନ କରାଯାଇଥିବା ତଥ୍ୟାବଳୀ ଅନୁସାରେ, ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ଟିକା ନେଇଥିବା ୩.୯ ନିୟତ ମହିଳାଙ୍କ ମଧ୍ୟରୁ ମାତ୍ର ୧୫ଜଣଙ୍କ ଠାରେ ସାଙ୍ଘାତିକ ରକ୍ତ ଜମାଟ ବାନ୍ଧିଥିଲା ଏବଂ ତିନିଜଣଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର