ଆମେରିକା-ତାଲିବାନ ମଧ୍ୟରେ ବନ୍ଦୀ ଅଦଳବଦଳ

ହାଜି ବସିରଙ୍କୁ ଆମେରିକା ମୁକ୍ତ କରିବା ପ୍ରତିବଦଳରେ ଇଂଜିନିୟର ମାର୍କ ଫ୍ରେରିକ୍ସଙ୍କୁ ମୁକ୍ତ କଲା ତାଲିବାନ

କାବୁଲ : ଆମେରିକା ଓ ତାଲିବାନ ମଧ୍ୟରେ ସୋମବାର ସକାଳେ ବନ୍ଦୀ ଅଦଳବଦଳ କରାଯାଇଛି । ପ୍ରାୟ ୨୦ ବର୍ଷ ଧରି ଆମେରିକାର ଗୁଆଣ୍ଚାନାମୋରେ ବନ୍ଦୀ ଥିବା ତାଲିବାନ ନେତା ହାଜି ବସିର ନୁରଜାଇଙ୍କୁ ଆମେରିକା ମୁକ୍ତ କରିବା ପରେ ସେ କାବୁଲରେ ପହଞ୍ଚିଛନ୍ତି ।

ଏହାର ପ୍ରତିବଦଳରେ ତାଲିବାନ ପାଖରେ ବନ୍ଦୀ ଥିବା ଆମେରିକୀୟ ଇଂଜିନିୟର ମାର୍କ ଫ୍ରେରିକ୍ସଙ୍କୁ ତାଲିବାନ ମୁକ୍ତ କରିଛି । ଏହି ବନ୍ଦୀ ଅଦଳବଦଳ ସଂପର୍କରେ ତାଲିବାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ସୋମବାରଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ହାଜି ବସିରଙ୍କୁ ମୁକ୍ତ କରାଯିବା ବିଷୟରେ ଆଜି ତାଲିବାନର ଜଣେ ମୁଖପାତ୍ର ଅହମଦୁଲ୍ଲା ମୁତାକି ଟୁଇଟ କରି ଘୋଷଣା କରିଛନ୍ତି । ପ୍ରାୟ ୨୦ ବର୍ଷ ତଳେ ଆମେରିକାକୁ ପ୍ରାୟ ୫୦ ନିୟୁତ ଡଲାର ମୂଲ୍ୟର ନିଶାଦ୍ରବ୍ୟ ଚୋରାଚାଲାଣ କରିଥିବା ଅଭିଯୋଗରେ ହାଜି ବସିରଙ୍କୁ ଗିରଫ କରିଥିଲା । ପରେ ତାଙ୍କ ଓକିଲ କହିଥିଲେ ଯେ ହାଜି ଜଣେ ଡ୍ରଗ ଡିଲର ନୁହନ୍ତି । ଆମେରିକୀୟ ଅଧିକାରୀମାନେ ଭୁଲରେ ତାଙ୍କୁ ଡ୍ରଗ ଡିଲର ଭାବି ଗିରଫ କରିଥିବା ପରେ ସ୍ବୀକାର କରିଥିଲେ । ଏଣୁ ତାଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର କରାଯାଉ ।

ଅନ୍ୟପକ୍ଷରେ ଆମେରିକୀୟ ନୌସେନାର ଇଂଜିନିୟର ମାର୍କ ଫ୍ରେରିକ୍ସ ପ୍ରାୟ ୧୦ ବର୍ଷ ଧରି ଆଫଗାନିସ୍ତାନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜଡ଼ିତ ଥିଲେ । ତାଙ୍କୁ ୨୦୨୦ ଫେବ୍ରୁଆରିରେ ତାଲିବାନ ଅପହରଣ କରିନେଇଥିଲା ।

ସମ୍ବନ୍ଧିତ ଖବର