ତାଇୱାନ୍‌କୁ ୧.୧ ବିଲିୟନ୍‌ ଡଲାର୍‌ ଅସ୍ତ୍ରଶସ୍ତ୍ର ବିକ୍ରୟ ଘୋଷଣା କରି ଚୀନ୍‌କୁ ଉତ୍‌କ୍ଷିପ୍ତ କଲା ଆମେରିକା

ୱାସିଂଟନ୍‌: ବେଜିଙ୍ଗ୍ ସହିତ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ତାଇୱାନ୍‌ ଦ୍ବୀପର ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ଯୁକ୍ତରାଷ୍ଟ୍ର ଆମେରିକା ଶୁକ୍ରବାର ଦିନ ୧.୧ ବିଲିୟନ୍‌ ଡଲାର୍‌ ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରୟ ମଞ୍ଜୁର କରିଥିବା ଘୋଷଣା କରିଛି।

ଚୀନ୍‌ର ମୁକାବିଲା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଥିବା ଅସ୍ତ୍ରଶସ୍ତ୍ର ପ୍ୟାକେଜ୍‌ରେ ରହିଛି ୬୦ଟି ଯୁଦ୍ଧପୋତ ବିରୋଧୀ ଅତ୍ୟାଧୁନିକ ହାର୍ପୁନ୍‌ କ୍ଷେପଣାସ୍ତ୍ର ଓ ୧୦୦ଟି ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର। ତାଇୱାନ୍‌ ପ୍ରତି ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରଗୁଡ଼ିକ ଉପରେ ନଜର ରଖିବା ପାଇଁ ଉକ୍ତ ପ୍ୟାକେଜ୍‌ରେ ୬୬୫ ବିଲିୟନ୍‌ ଡଲାର୍‌ ମୂଲ୍ୟର ଏକ ‘ଆର୍ଲି ରାଡାର୍‌ ୱାର୍ଣ୍ଣିଙ୍ଗ୍‌ ସିଷ୍ଟମ୍‌’ ମଧ୍ୟ ରହିଛି। ସେହିପରି, ‌କ୍ଷେପଣାସ୍ତ୍ର ପ୍ୟାକେଜ୍‌ ପାଇଁ ରହିଛି ୩୫୫ ବିଲିୟନ୍‌ ଡଲାର୍‌ ଅର୍ଥରାଶି।

Image Courtesy of The Japan Times

ଅସ୍ତ୍ରଶସ୍ତ୍ର ବିକ୍ରୟ ଅନୁମୋଦନ କରିଥିବା ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ଏହି ପ୍ୟାକେଜ୍‌ ତାଇୱାନ୍‌ର ସୁରକ୍ଷା ପାଇଁ ଅତ୍ୟାବଶ୍ୟକ। ତାଇୱାନ୍‌ ଉପରେ ସାମରିକ, କୂଟନୈତିକ ଏବଂ ଆର୍ଥିକ ଚାପ ପ୍ରୟୋଗ ବନ୍ଦ କରି ତାଇୱାନ୍‌ ସହିତ ଫଳପ୍ରସୂ ଆଲୋଚନା କରିବା ଲାଗି ଆମେ ବେଜିଙ୍ଗ୍‌କୁ ଅନୁରୋଧ କରୁଛୁ।

ଆମେରିକାର ଉପରୋକ୍ତ ନିଷ୍ପତ୍ତି ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ୱାସିଂଟନ୍‌ସ୍ଥିତ ଚୀନା ଦୂତାବାସ ଲିୟୁ ପେଙ୍ଗ୍ୟୁ କହିଛନ୍ତି, ଏହି ସମ୍ଭାବ୍ୟ ଅସ୍ତ୍ରଶସ୍ତ୍ର ବିକ୍ରୟ ଆମେରିକା-ଚୀନ୍‌ ସମ୍ପର୍କକୁ ଅତ୍ୟନ୍ତ ବିପଜ୍ଜନକ କରି ପକାଇବ। ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ଚୀନ୍‌ ମଧ୍ୟ ଅନୁରୂପ ପଦ‌କ୍ଷେପ ଗ୍ରହଣ କରିବ।

କିନ୍ତୁ, ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ କହିଛି, କିଛି ଦିନ ହେବ ଏହି ପ୍ୟାକେଜ୍‌ ବିଚାରାଧୀନ ଥିଲା। ତାଇୱାନ୍‌ ଏବଂ ଆମେରିକାର ସାଂସଦମାନଙ୍କ ସହିତ ପରାମର୍ଶ କରାଯିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର