ବଢିଲା ଚୀନର ଚିନ୍ତା, ତାଇଓ୍ବାନକୁ ଶକ୍ତିଶାଳୀ ପାଟ୍ରିଅଟ୍ ମିସାଇଲ ପ୍ରଦାନ କରିବ ଆମେରିକା

ଓ୍ବାସିଂଟନ : ପୂର୍ବ ଏସିଆର କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ତାଇଓ୍ବାନକୁ  ଚୀନ ବଳପୂର୍ବକ ଅଧିକାର କରିନେବାର ଆଶଙ୍କା ଦିନକୁ ଦିନ ବଢିଚାଲିଛି । ବାରମ୍ବାର ଚୀନର ଲଢୁଆ ବିମାନ ତାଇଓ୍ବାନର ବାୟୁସୀମାର ଅନୁପ୍ରବେଶ କରିଚାଲିଛି । ଏଣୁ ତାଇଓ୍ବାନର ସୁରକ୍ଷା ପାଇଁ ଆମେରିକା ଏହି କ୍ଷୁଦ୍ର ଦେଶକୁ ଶକ୍ତିଶାଳୀ ପାଟ୍ରିଅଟ୍ ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି କରିବାକୁ ଘୋଷଣା କରିଛି ।

ଏହି ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ପାଇଁ ଆମେରିକା ସରକାର ୧୦୦ ନିୟୁତ ଡଲାର ଅର୍ଥରାଶି ମଧ୍ୟ ମଂଜୁର କରିଛନ୍ତି । ଏହି ଏୟାର ଡିଫେନ୍ସ ସିଷ୍ଟମ ଚୀନର କ୍ଷେପଣାସ୍ତ୍ର ଓ ଲଢୁଆ ବିମାନ ଆକ୍ରମଣ ବିରୋଧରେ ତାଇଓ୍ବାନକୁ ସୁରକ୍ଷା ଦେଇପାରିବ । ତାଇଓ୍ବାନରେ ପାଟ୍ରିଅନ ସିଷ୍ଟମର ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ଏହି ରାଶି ବ୍ୟୟ ହେବ । ନବେ ଦଶକରେ ଉପସାଗରୀୟ ଯୁଦ୍ଧରେ ପାଟ୍ରିଅଟ ମିସାଇଲ ଗୁଡ଼ିକର ଦକ୍ଷତା ସମଗ୍ର ବିଶ୍ବକୁ ଚମତ୍କୃତ କରିଥିଲା ।

ସୂଚନାଯୋଗ୍ୟ ଯେ, ତାଇଓ୍ଵାନକୁ ଚୀନ ଅଧିକାର କରିବା ବିଷୟରେ ରାଷ୍ଟ୍ରପତି ସି ଜିନ ପିଂ ସ୍ପଷ୍ଟ ସଂକେତ ଦେଇସାରିଛନ୍ତି । ଚୀନ ରାଷ୍ଟ୍ରପତି କହିଛନ୍ତି ଯେ ଏହି ‘ସମସ୍ୟା’କୁ ପରବର୍ତ୍ତି ପିଢିକୁ ଲମ୍ବାଇବାର ସମ୍ଭାବନା ନାହିଁ । ଶାନ୍ତିପୂର୍ଣ୍ଣ ଉପାୟରେ ଏହା ହେଲେ ଭଲ, କିନ୍ତୁ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ମଧ୍ୟ କରିବାକୁ ଚୀନ ପଛେଇବ ନାହିଁ ।

୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧ ପରେ ତାଇଓ୍ଵାନ ଚୀନଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା । କିନ୍ତୁ ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି ।

ସମ୍ବନ୍ଧିତ ଖବର