ଆମେରିକାର ଏସିଆ-ପ୍ରଶାନ୍ତ ରଣନୀତି : ବାଇଡେନ ପ୍ରଶାସନ ଭାରତକୁ ସୁହାଇବା ଭଳି ପଦକ୍ଷେପ ନେବ

ନୂଆଦିଲ୍ଲୀ : ଆମେରିକାର ଚୀନ୍‌ ଏବଂ ଏସିଆ-ପ୍ରଶାନ୍ତ କୂଟନୀତିରେ ଭାରତକୁ ହିଁ ଘନିଷ୍ଠ ବନ୍ଧୁ ରାଷ୍ଟ୍ର ଭାବେ ଆମେରିକା ଗ୍ରହଣ କରିବ ଏବଂ ଚୀନ୍‌ ବିରୋଧରେ ଏହାର ପଦକ୍ଷେପ ଆହୁରି କଠୋର ହେବ ବୋଲି ସଙ୍କେତ ମିଳିଛି। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବେ ତାଙ୍କର ଯେଉଁ ବିଦେଶ ନୀତି ଓ ସୁରକ୍ଷା ନୀତି ସଂକ୍ରାନ୍ତ ଟିମ୍‌ ଗଠନ କରିଛନ୍ତି ସେଥିରୁ ଏ ସଂକ୍ରାନ୍ତ ସ୍ପଷ୍ଟ ସଙ୍କେତ ମିଳିଛି। ଟ୍ରମ୍ପ୍‌ ପ୍ରଶାସନ ଭାରତକୁ ଅଧିକ ଗୁରୁତ୍ବ ଦେଇ ଯେଭଳି ରଣନୀତି ଆପଣାଇଥିଲା, ବାଇଡେନ୍‌ ପ୍ରଶାସନ ମଧ୍ୟ ସେହି ନୀତିରେ ଆଗକୁ ବଢ଼ିବ। ଆମେରିକାର ଭାରତ-ପ୍ରଶାନ୍ତ ନୀତିରେ ଭାରତ ହିଁ ଆମେରିକାର ସବୁଠାରୁ ବିଶ୍ବସ୍ତ ସାମରିକ ସହଯୋଗୀ ହୋଇପାରେ ବୋଲି କୁହାଯାଉଛି। ଦକ୍ଷିଣ ଚୀନ୍‌ ସାଗର ମାମଲାରେ ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମା ଏବଂ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ନୀତିକୁ ଅନୁସରଣ କରି ବାଇଡେନ ଭାରତ ସହ ତାଳମେଳ ରଖି କାମ କରିବେ ବୋଲି ସଙ୍କେତ ମିଳିଛି। ବାଇଡେନ୍‌ ପ୍ରଶାସନ ଚୀନ୍‌କୁ ନେଇ କୌଣସି କୋହଳ ନୀତି ଗ୍ରହଣ କରିପାରିବେ ନାହିଁ ଏବଂ ଏଭଳି ହେଲେ ଆମେରିକାର ଏସିଆ-ପ୍ରଶାନ୍ତ ନୀତି ବଡ଼ ଜଟିଳତାରେ ଫସିଯିବ ବୋଲି ବରିଷ୍ଠ କୂଟନୀତିଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର