ଇସ୍ଲାମାବାଦ୍: ସମ୍ଭାବ୍ୟ ଆକ୍ରମଣ ଆଶଙ୍କା ଦର୍ଶାଇ ଇସ୍ଲାମାବାଦ୍ସ୍ଥିତ ହୋଟେଲ୍ ମାରିଅଟ୍କୁ ନ ଯିବା ପାଇଁ ରବିବାର ଦିନ ଆମେରିକୀୟ ଦୂତାବାସ ତା’ର କର୍ମଚାରୀମାନଙ୍କୁ ସତର୍କ କରାଇ ଦେଇଛି।
ଇସ୍ଲାମାବାଦସ୍ଥିତ ଆମେରିକୀୟ ଦୂତାବାସର ୱେବ୍ସାଇଟ୍ରେ ଜାରି କରାଯାଇଥିବା ସତର୍କ ସୂଚନାରେ ଉଲ୍ଲେଖ ଅଛି: ଆଜି ଜାରି କରାଯାଇଥିବା ସୁରକ୍ଷା ସତର୍କ ସୂଚନା କାରଣରୁ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଇସ୍ଲାମାବାଦ୍ସ୍ଥିତ ମାରିଅଟ୍ ହୋଟେଲ୍ ନିଷେଧ କରାଯାଇଛି। ଉପାସନାସ୍ଥଳୀମାନଙ୍କରେ ସତର୍କ ରହିବା ସହିତ ଜନଗହଳି ହେଉଥିବା ସ୍ଥାନକୁ ନ ଯିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ତା’ର ସରକାରୀ କର୍ମଚାରୀମାନଙ୍କୁ କହିଛି। ସମ୍ଭାବ୍ୟ ଆକ୍ରମଣ ସଂକ୍ରାନ୍ତରେ ସମ୍ଭାବ୍ୟ ସୂଚନା ପାଇବା ଲାଗି ସ୍ଥାନୀୟ ଗଣମାଧ୍ୟମ ଉପରେ ଦୃଷ୍ଟି ରଖିବାକୁ ଦୂତାବାସ ସେମାନଙ୍କୁ କହିଛି।
ରାଜଧାନୀ ଇସ୍ଲାମାବାଦ୍ରେ ଆତ୍ମଘାତୀ ଆକ୍ରମଣ ଯୋଗୁଁ ଜଣେ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିବା ଓ ଆଉ ୬ଜଣ ଆହତ ହେବାର ଦିନକ ପରେ ଆମେରିକା ଉପରୋକ୍ତ ନିରାପତ୍ତା ସତର୍କ ସୂଚନା ଜାରି କରିଥିବା କଥା ‘ଦି ଡନ୍’ ଖବରକାଗଜ ରିପୋର୍ଟ।
ଜାରି କରିଥିବା ସୁରକ୍ଷା ସତର୍କତାରେ ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ କହିଛି, ଛୁଟିଦିନ ମଧ୍ୟରେ ଯେକୌଣସି ସମୟରେ ମାରିଅଟ୍ ହୋଟେଲ୍ରେ ଆମେରିକୀୟମାନଙ୍କୁ ଆକ୍ରମଣ କରିବା ଲାଗି ଅଜ୍ଞାତ ବ୍ୟକ୍ତିମାନେ ସମ୍ଭାବ୍ୟ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଦୂତାବାସ ସୂଚନା ପାଇଛି।
ତେଣୁ, ତୁରନ୍ତ ପଦକ୍ଷେପସ୍ବରୂପ ଇସ୍ଲାମାବାଦ୍ସ୍ଥିତ ଦୂତାବାସ ସମସ୍ତ ଆମେରିକୀୟ କର୍ମଚାରୀଙ୍କ ପାଇଁ ମାରିଅଟ୍ ହୋଟେଲ୍ ବାରଣ କରିଛି।