ମସ୍କୋ : ରୁଷର ରାଷ୍ଟ୍ରପତି ଭବନ କ୍ରେମଲିନ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ଆମେରିକାକୁ ଦାୟୀ କରିଛି ରୁଷ । ଆମେରିକା ହିଁ ଏହି ଆକ୍ରମଣ ପାଇଁ ଟାର୍ଗେଟ ବାଛିଥିଲା ଓ ୟୁକ୍ରେନ କେବଳ ତାହାକୁ କାର୍ଯ୍ୟକାରୀ କରିଥିଲା ।
କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସକୋଭ କହିଛନ୍ତି ଯେ ଆମେରିକା ଜାଣିବା ଉଚିତ ଯେ ରୁଷ ପାଖରେ ଖବର ଅଛି ଯେ ଏହି ଆକ୍ରମଣକୁ ଓ୍ବାସିଂଟନ କରାଇଛି ଓ ୟୁକ୍ରେନ କେବଳ ଆମେରିକାର ଯୋଜନାକୁ କାର୍ଯ୍ୟକାରୀ କରିଛି ।
ସେ ଆହୁରି ମଧ୍ୟ କହିଛନ୍ତି “ଯେ ଓ୍ବାସିଂଟନ ଓ କିବ୍ ଏହି ଆକ୍ରମଣରୁ ହାତ ଝାଡ଼ିଦେବା ହାସ୍ୟାସ୍ପଦ କଥା । ଆମେ ଭଲଭାବେ ଜାଣିଛୁ ଏହି ଆକ୍ରମଣ ପାଇଁ ନିଷ୍ପତ୍ତି କିବ ନୁହେଁ, ଓ୍ବାସିଂଟନରେ ନିଆଯାଇଥିଲା । ଅନେକ ସମୟରେ ଆମେରିକା ଟାର୍ଗେଟ୍ ବାଛିଥାଏ ଓ ୟୁ୍କ୍ରେନ କେବଳ ତାହାକୁ କାର୍ଯ୍ୟକାରୀ କରିଥାଏ ।
ଅନ୍ୟପକ୍ଷରେ ରୁଷର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କ୍ରେମଲିନ ଉପରେ ହୋଇଥିବା ଡ୍ରୋନ ଆକ୍ରମଣର ଜବାବ ନ ଦେଇ ଛଡ଼ାଯିବା ଉଚିତ ନୁହେଁ । ଅନ୍ୟପକ୍ଷରେ ଏହି ଆକ୍ରମଣରୁ ଜଣାପଡ଼ୁଛି ଯେ ୟୁକ୍ରେନ ଯୁଦ୍ଧ ଶେଷ କରିବା ସପକ୍ଷରେ ନାହିଁ ।
ବୁଧବାରଦିନ କ୍ରେମଲିନ ଉପରେ ହୋଇଥିବା ଏହି ଡ୍ରୋନ ଆକ୍ରମଣ ସଂପର୍କରେ କୌଣସି ସୂଚନା ନାହିଁ ବୋଲି ୟୁକ୍ରେନ ପୂର୍ବରୁ କହିସାରିଛି ।