ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଆମେରିକୀୟ ବ୍ଲଗର୍

ନୂଆଦିଲ୍ଲୀ: ପାକିସ୍ତାନରେ ଆମେରିକୀୟ ବ୍ଲଗରଙ୍କ ଖୁଲାସାକୁ ନେଇ ଚର୍ଚ୍ଚା | ୩ ଜଣ ରାଜନେତାଙ୍କ ବିରୋଧରେ ସେ ଯୌନ ଅସଦାଚରଣର ଅଭିଯୋଗ ଆଣିବା ଘଟଣା ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି | ୧୦ବର୍ଷରୁ ଅଧିକ ସମୟ ଧରି ପାକିସ୍ତାନରେ ରହୁଥିବା ଜଣେ ଆମେରିକୀୟ ବ୍ଲଗର୍ ସିନ୍ଥିଆ ରିଚି ପାକିସ୍ତାନର ପୂର୍ବତନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ଉପରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି | ଏହା ସହ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣିଛନ୍ତି ଆମେରିକୀୟ ବ୍ଲଗର୍ | ତାଙ୍କର ଏଭଳି ଚାଂଚଲ୍ୟକର ଖୁଲାସା ପରେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି |

ତେବେ ଆମେରିକୀୟ ବ୍ଲଗର ଏଭଳି ଦାବି କରିଥିଲେ ମଧ୍ୟ ତିନି ରାଜନେତା ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ଦୁଇଟି ଘଟଣାର ତଦନ୍ତ ପାଇଁ ଦେଶର ଆଇନ ପ୍ରଣୟନକାରୀ ସଂସ୍ଥା ନିକଟରେ ଏକ ମାମଲା ଦାୟର କରିଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅନେକ ବିବାଦୀୟ ଘଟଣା ସହ ଜଡିତ ରହିଛନ୍ତି ଆମେରିକୀୟ ବ୍ଲଗର ସିନ୍ଥିଆ ରିଚି |

indiatoday

ସୂଚନା ମୁତାବକ, ରିଚି ଶୁକ୍ରବାର ଦିନ ଏକ ଫେସବୁକ୍ ଲାଇଭ୍ ଭିଡିଓ ପୋଷ୍ଟ କରି, ନିଜ ସହ ହୋଇଥିବା ଦୁଷ୍କର୍ମ ବିଷୟରେ ଖୁଲାସା କରିଥିଲେ | ଭିଡ଼ିଓରେ ସେ ପୂର୍ବତନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ତଥା ବର୍ତ୍ତମାନ ସିନେଟର ଥିବା ସଦସ୍ୟ ରହମାନ ମଲିକଙ୍କ ଉପରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ | ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନି ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମଖଦୁମ ଶାହାବୁଦ୍ଦିନ ତାଙ୍କ ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ଏହି ତିନି ରାଜନେତା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସଦସ୍ୟ ବୋଲି ଜଣା ପଡିଛି।

ଭିଡ଼ିଓରେ ରିଚି କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ଆଗରୁ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ନିର୍ଦେଶ ଦେଉଥିଲେ | ତାଙ୍କ ସ୍ୱାମୀ ଆସିଫ୍ ଅଲି ଜରଦାରୀଙ୍କ ସହ କୌଣସି ମହିଳା ସମ୍ପର୍କ ରଖିଥିବା ନେଇ ଜାଣିବା ପରେ ସେ ଦୁଷ୍କର୍ମ କରିବାକୁ ନିର୍ଦେଶ ଦେଉଥିଲେ | ଅତୀତରେ ମଧ୍ୟ ରିଚି ଏଭଳି ଦାବି କରିସାରିଥିବା ଜଣା ପଡିଛି | ହେଲେ ପ୍ରମାଣ ଅଭାବରୁ କେହି ତାଙ୍କୁ ବିଶ୍ୱାସ କରିନଥିବା ସେ କହିଛନ୍ତି | ତେବେ ଜରଦାରୀ ଏହି ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇ ନ ଥିବାବେଳେ ପିପିପିର ବରିଷ୍ଠ ନେତା ରିଚି କିଏ, ତାଙ୍କୁ ପାକିସ୍ତାନରେ ରହିବାକୁ କିଏ ଅନୁମତି ଦେଇଛନ୍ତି ଏବଂ ତାଙ୍କର ରୋଜଗାରର ଉତ୍ସ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ।

ସମ୍ବନ୍ଧିତ ଖବର