ନୂଆଦିଲ୍ଲୀ: ଦିଲ୍ଲୀରୁ ୱାସିଂଟନ ଯାଉଥିବା ଏୟାର୍ ଇଣ୍ଡିଆର ଏକ ବିମାନ ଇନ୍ଧନ ଭର୍ତ୍ତି କରିବା ପାଇଁ ଭିଏନାରେ ଅଟକିଥିଲା। ଏହି ସମୟରେ ନିୟମିତ ଯାଞ୍ଚ କରାଯିବା ପରେ ଏହାର ରକ୍ଷଣାବେକ୍ଷଣ ସମସ୍ୟା ଥିବା ଜଣାପଡ଼ିବା ପରେ ବୁଧବାର ଭିଏନାରେ ଏହି ବିମାନର ଉଡ଼ାଣ ରଦ୍ଦ କରାଯାଇଛି। ଜୁଲାଇ ୨ ତାରିଖରେ ଦିଲ୍ଲୀରୁ ଉଡ଼ାଣ ଭରିଥିବା ବିମାନ ଏଆଇ୧୦୩ ଭିଏନାରେ ଅବତରଣ କରିଥିଲା। ଏୟାର୍ ଇଣ୍ଡିଆର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ, ଷ୍ଟପ୍‌ଓଭର୍‌ ସମୟରେ ନିୟମିତ ଯାଞ୍ଚରେ ଏକ ସମସ୍ୟା ସାମ୍ନାକୁ ଆସିଥିଲା, ଯେଉଁଥିପାଇଁ ଅତିରିକ୍ତ ରକ୍ଷଣାବେକ୍ଷଣର ଆବଶ୍ୟକତା ଥିଲା। ଫଳରେ ଯାତ୍ରୀଙ୍କୁ ଭିଏନାରେ ଓହ୍ଲାଇ ଦିଆଯାଇଥିଲା। ଭିସାମୁକ୍ତ ପ୍ରବେଶ ପାଇଁ ଯୋଗ୍ୟ କିମ୍ବା ବୈଧ ଶେଙ୍ଗେନ୍ ଭିସାଧାରୀମାନଙ୍କୁ ପରବର୍ତ୍ତୀ ଉପଲବ୍ଧ ବିମାନ ପର୍ଯ୍ୟନ୍ତ ହୋଟେଲରେ ରହିବା  ବ୍ୟବସ୍ଥା କରାଯାଇଥିଲା। ବିନା ପ୍ରବେଶ ଅନୁମତିରେ ଯାତ୍ରୀଙ୍କ ପାଇଁ ଅଷ୍ଟ୍ରିଆ ଇମିଗ୍ରେସନ୍ ଓ ସୁରକ୍ଷା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ବ୍ୟବସ୍ଥା କରାଯାଉଛି ବୋଲି ଏୟାର୍ ଇଣ୍ଡିଆର ମୁଖପାତ୍ର କହିଛନ୍ତି। ପ୍ରଭାବିତ ଯାତ୍ରୀମାନଙ୍କୁ ବିକଳ୍ପ ବିମାନରେ ପୁନଃ ବୁକିଂ କରାଯାଇଛି କିମ୍ବା ସମ୍ପୂର୍ଣ୍ଣ ରିଫଣ୍ଡ ପ୍ରଦାନ କରାଯାଇଛି ବୋଲି ଏୟାର୍ ଇଣ୍ଡିଆ କହିଛି।