ଓ୍ଵାସିଂଟନ୍: ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍’ ବାହାରେ ଥିବା ଏକ ବାରିକେଡ୍ ନିକଟରେ ଦୁଇଜଣ ପୁଲିସ ଅଧିକାରୀଙ୍କ ଉପରେ ଜଣେ ବ୍ୟକ୍ତି କାର୍ ମଡ଼ାଇ ଦେବାରୁ ଜଣେ ପୁଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଛି ଓ ଗୁଳିଚୋଟରେ ଆହତ ଉକ୍ତ ଗାଡ଼ି ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଫଳତଃ, ନିରାପତ୍ତା ଅଧିକାରୀମାନେ ‘କ୍ୟାପିଟଲ୍’ ପରିସରରେ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି।
ବାରିକେଡ୍ ମଧ୍ୟକୁ ଧଷେଇ ପଶିବା ପରେ ଉକ୍ତ ଡ୍ରାଇଭର୍ ଗୋଟାଏ ଛୁରି ଧରି ଗାଡ଼ିରୁ ଡେଇଁ ପଡ଼ିବାରୁ ପୁଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା ବୋଲି ଆଇନ୍ ପ୍ରଣୟନ ବିଭାଗ କହିଛି।
‘କ୍ୟାପିଟଲ୍’ ପୁଲିସ୍ର କାର୍ଯ୍ୟକାରୀ ମୁଖ୍ୟ ଯୋଗାନନ୍ଦ ପିଟ୍ମ୍ୟାନ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ସନ୍ଦିଗ୍ଧଜଣକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଦୁଇ ଆହତ ପୁଲିସ ଅଧିକାରୀଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଦେହାନ୍ତ ଘଟିଛି।
Image Courtesy of India Todayସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଏବେ ଆଉ କୌଣସି ବିପଦ ନାହିଁ। ଏହାଛଡ଼ା, ଉକ୍ତ ଆକ୍ରମଣ ଆତଙ୍କବାଦ ଆକ୍ରମଣ ବୋଲି ମନେହୁଏ ନାହିଁ। ଜାନୁଆରି ୬ ତାରିଖ ଦଙ୍ଗା ଏବଂ ଶୁକ୍ରବାର ଦୁର୍ଘଟଣା ମଧ୍ୟରେ ବି କୌଣସି ସମ୍ବନ୍ଧ ନାହିଁ।
କଂଗ୍ରେସରେ କିଛି ସମୟ ପାଇଁ ବିରତି ହୋଇଥିବା ବେଳେ ‘କ୍ୟାପିଟଲ୍’ର ଗୋଟିଏ ‘ସିକ୍ୟୁରିଟି ଚେକ୍ପଏଣ୍ଟ୍’ ନିକଟରେ ଏହି ଗାଡ଼ି ଧକ୍କା ଏବଂ ଗୁଳିକାଣ୍ଡ ଘଟଣା ଘଟିଥିଲା।
ନିହତ ଆକ୍ରମଣକାରୀ ହେଉଛନ୍ତି ଇଣ୍ଡିଆନାବାସୀ ନୋଆ ଗ୍ରିନ୍ ନାମକ ଜଣେ ୨୫ ବର୍ଷିୟ କୃଷ୍ଣକାୟ ବ୍ୟକ୍ତି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଗଣମାଧ୍ୟମ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ରିପୋର୍ଟ କରିଛି।
‘ଇଷ୍ଟର୍ ଅବସର’ରେ ଫାଷ୍ଟ୍ ଲେଡି ଜିଲ୍ ବାଇଡେନ୍ଙ୍କ ସହ କ୍ୟାମ୍ପ୍ ଡେଭିଡ୍ରେ ଥିବା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଆକ୍ରମଣରେ ନିହତ ବରିଷ୍ଠ ପୁଲିସ ଅଧିକାରୀ ଓ୍ଵିଲିୟମ୍ ଇଭାନ୍ସ୍ଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
ଏକ ବିବୃତିରେ ସେ କହିଛନ୍ତି, ‘ୟୁଏସ୍ କ୍ୟାପିଟଲ୍ ଗ୍ରାଉଣ୍ଡ୍ର ସିକ୍ୟୁରିଟି ଚେକ୍ପଏଣ୍ଟ୍ରେ ହୋଇଥିବା ଭୀଷଣ ଆକ୍ରମଣ କଥା ଜାଣି ଜିଲ୍ ଓ ମୁଁ ମର୍ମାହତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/capitol.jpg)