ନୂଆଦିଲ୍ଲୀ: ହିଣ୍ଡେନ୍ବର୍ଗର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରିବାର କିଛି ମାସ ବିତି ନଥିବା ବେଳେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ୨୧୦୦ କୋଟି ଟଙ୍କାର ଲାଞ୍ଚ କାରବାର ଭଳି ସାଂଘାତିକ ଅଭିଯୋଗ ଆଣିଛି। ନିଜ ପୁତୁରା ସାଗର ଆଦାନୀ ଓ ଅନ୍ୟ କିଛି ଅଧିକାରୀଙ୍କୁ ଧରି ଆଦାନୀ ଏହି ଲାଞ୍ଚ ଦେଉଥିଲେ। ଅନେକ ମାମଲାରେ ଆଦାନୀ ନିଜେ ସରକାରୀ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଆମେରିକାରେ ଗୌତମ ଆଦାନୀ ଓ ସାଗର ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି। ଗୋଟିଏ ଦିନରେ ଆଦାନୀ ଗ୍ରୁପ୍ର ୨ ଲକ୍ଷ କୋଟି ଟଙ୍କା ଉଡ଼ିଯାଇଛି। କେବଳ ସେତିକି ନୁହେଁ, ଏହାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଦାନୀଙ୍କୁ ତୁରନ୍ତ ଗିରଫ କରିବାକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି।
ଆମେରିକାର ନ୍ୟୁୟର୍କ ଡିଷ୍ଟ୍ରିକ୍ଟ କୋର୍ଟ ଆଦାନୀ ଓ କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଲାଞ୍ଚ କାରବାର ଓ ଆମେରିକାର ନିବେଶକମାନଙ୍କୁ ଠକିବା ଲାଗି ସ୍କିମ୍ ଆଣିଥିବା ଭଳି ଗମ୍ଭୀର ଅଭିଯୋଗ କରିଛନ୍ତି। ଅଭିଯୋଗରେ ଆଦାନୀଙ୍କ ସମେତ ତାଙ୍କ ପୁତୁରା ସାଗର ଆଦାନୀ, ବିନୀତ ଏସ୍ ଜୈନ ଓ ଅନ୍ୟମାନଙ୍କ ନାମ ରହିଛି। ସାଗର ହେଉଛନ୍ତି ଆଦାନୀ ଗ୍ରିନ୍ ଏନର୍ଜିର କାର୍ଯ୍ୟନିବାହୀ ନିର୍ଦ୍ଦେଶକ। ଲାଞ୍ଚ କାରବାର ବେଳେ ଆଦାନୀଙ୍କ ଅସଲି ନାମକୁ ବ୍ୟବହାର ନ କରି ‘ନ୍ୟୁମରୋ ୟୁନୋ’ ଓ ‘ଦି ବିଗ୍ ମ୍ୟାନ୍’ ଭଳି ଶବ୍ଦ ବ୍ୟବହାର କରାଯାଇଥିଲା। ଲାଞ୍ଚ କାରବାର ଉପରେ ନଜର ରଖିବା ଲାଗି ସାଗର ଆଦାନୀଙ୍କ ମୋବାଇଲ୍ ନମ୍ବର ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗରେ ଏକ ଅକ୍ଷୟ ଶକ୍ତି କମ୍ପାନିର ପୂର୍ବତନ ଅଧିକାରୀ ରଣଜିତ୍ ଗୁପ୍ତା, ରୁପେଶ ଅଗ୍ରୱାଲ୍, କାନାଡାର ସଂସ୍ଥାଗତ ନିବେଶକ ସିରିଲ୍ କାବାନିସ୍, ସୌରଭ ଅଗ୍ରୱାଲ୍ ଓ ଦୀପକ ମଲ୍ହୋତ୍ରାଙ୍କ ନାମ ମଧ୍ୟ ରହିଛି।
୨୧୦୦ କୋଟିର ଲାଞ୍ଚ କାରବାର
ପ୍ରକଳ୍ପ ହାତେଇବା ଲାଗି ଦେଉଥିଲେ
ଆଦାନୀଙ୍କ ବିରୋଧରେ ଗିରଫ ପରୱାନା
ଦିନକରେ ଉଡ଼ିଗଲା ୨ ଲକ୍ଷ କୋଟି
ଆଦାନୀଙ୍କୁ ତୁରନ୍ତ ଗିରଫ କର: ରାହୁଲ
ଅଭିଯୋଗକୁ କମ୍ପାନି ପକ୍ଷରୁ ଖଣ୍ଡନ
ଆମେରିକାର ଆଇନ ବିଭାଗ ଅଭିଯୋଗ କରିଛି ଯେ ଭାରତରେ ସୌର ଶକ୍ତି ଚୁକ୍ତି ହାସଲ କରିବା ଲାଗି ସରକାରୀ ଅଧିକାରୀମାନଙ୍କୁ ଆଦାନୀ ୨୧୦୦ କୋଟି ଟଙ୍କା (୨୬୫ ନିୟୁତ ଡଲାର) ଲାଞ୍ଚ ଦେଇଛନ୍ତି। ଆଦାନୀ ଗ୍ରୁପ୍ର ଅକ୍ଷୟ ଶକ୍ତି ସଂସ୍ଥା ଆଦାନୀ ଗ୍ରିନ୍ ଏନର୍ଜି ଲିମିଟେଡ୍ ଓ ଅନ୍ୟ ସଂସ୍ଥା ଦ୍ବାରା ଭାରତ ସରକାରଙ୍କୁ ୧୨ ଗିଗାୱାଟ୍ ସୌରଶକ୍ତି ବିକ୍ରି କରିବା ଲାଗି ଏହି ଲାଞ୍ଚ କାରବାର ହୋଇଥିଲା। ଏହି ରାଜିନାମାଗୁଡ଼ିକ ଦ୍ବାରା କମ୍ପାନିକୁ ୨୦ ବର୍ଷ ପାଇଁ ୨୦୦ କୋଟି ଡଲାରରୁ ଅଧିକ ଟିକସ ପରବର୍ତ୍ତୀ ଲାଭ (ପିଏଟି) ମିଳିବ ବୋଲି ଆକଳନ କରାଯାଇଛି। ଅନ୍ୟ ପକ୍ଷରେ ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନ (ଏସ୍ଇସି) ପକ୍ଷରୁ ଆଦାନୀ ଓ ଅନ୍ୟମାନଙ୍କ ବିରୋଧରେ ଆମେରିକାର ପ୍ରତିଭୂତି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କମ୍ପାନି ଉପରେ ଜରିମାନା ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ କମିସନ ବିଚାର କରୁଛନ୍ତି। ଉଭୟ ମାମଲାକୁ ବ୍ରୁକ୍ଲିନ୍ର ଫେଡେରାଲ୍ କୋର୍ଟରେ ଦାଖଲ କରାଯାଇଛି। ଆମେରିକାର ଆଇନ ବିଭାଗ ଅଭିଯୋଗ କରିଛି ଯେ ଆଦାନୀ ଓ ଅନ୍ୟମାନେ ମିଳିତ ଭାବେ ଚକ୍ରାନ୍ତ କରି ଆମେରିକା ନିବେଶକଙ୍କଠାରୁ ପାଣ୍ଠି ସଂଗ୍ରହ କରିବାକୁ ଏହି ସ୍କିମ୍ ପ୍ରସ୍ତୁତ କରିଥିଲେ। ଲାଞ୍ଚ କାରବାର କରି ପାଉଥିବା ସୌରଶକ୍ତି ଯୋଗାଣ ଚୁକ୍ତି ପାଇଁ ମଧ୍ୟ ସେମାନେ ପାଣ୍ଠି ସଂଗ୍ରହ କରିବାକୁ ଚାହୁଥିଲେ। ୱାଲ୍ ଷ୍ଟ୍ରିଟ୍ର ନିବେଶକଙ୍କ ସାମ୍ନାରେ ଗୋଲାପି ଚିତ୍ର ଉପସ୍ଥାପନ କରି ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ପ୍ରକଳ୍ପଗୁଡ଼ିକ ଲାଗି ଆଦାନୀ କୋଟି କୋଟି ଡଲାର ପାଣ୍ଠି ସଂଗ୍ରହ କରିଥିଲେ। କିନ୍ତୁ ଭାରତରେ ବସି ସେମାନେ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇ ସୌରଶକ୍ତି ଯୋଗାଣ ଚୁକ୍ତି ହାସଲ କରିବାକୁ ଉଦ୍ୟମ କରୁଥିଲେ ବୋଲି ଆମେରିକାର ଡେପୁଟି ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ୍ ଲିସା ମିଲର ଅଭିଯୋଗ କରିଛନ୍ତି। ଆଦାନୀ ଗ୍ରୁପ୍ ବିରୋଧରେ ଏଭଳି ଏକ ସମୟରେ ଏହି ଅଭିଯୋଗ ଆସିଛି ଯେତେବେଳେ କମ୍ପାନି ଆମେରିକାରୁ ୬୦୦ ନିୟୁତ ଡଲାର ପାଣ୍ଠି ସଂଗ୍ରହ କରିବାକୁ ଉଦ୍ୟମ କରୁଥିଲା। ଆମେରିକାରୁ ଗମ୍ଭୀର ଅଭିଯୋଗ ଆସିବା ପରେ କମ୍ପାନି ଏହାର ବଣ୍ଡ୍କୁ ବାତିଲ କରିଛି। ଏଥି ସହିତ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। କମ୍ପାନି ସଚ୍ଚୋଟତା ଓ ଆଇନ ପାଳନର ସର୍ବୋଚ୍ଚ ମାନଦଣ୍ଡ ଆଧାରରେ ପରିଚାଳିତ ହେଉଛି। ଏହି ଅଭିଯୋଗର ମୁକାବିଲା କରିବା ଲାଗି ସମସ୍ତ ସମ୍ଭାବ୍ୟ ଆଇନଗତ ଦିଗକୁ ଅନୁସନ୍ଧାନ କରାଯାଉଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ଓଡ଼ିଶାରେ ଲାଞ୍ଚ ନେଇଛି କିଏ?
ଭୁବନେଶ୍ବର: ସୌରଶକ୍ତି ଯୋଗାଣ ଲାଗି ଶିଳ୍ପପତି ଗୌତମ ଆଦାନୀ ଓଡ଼ିଶାରେ ମଧ୍ୟ ଲାଞ୍ଚ ଦେଇଥିବା ଅଭିଯୋଗ ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। କାହାକୁ ସେ ଲାଞ୍ଚ ଦେଇଛନ୍ତି? କିଏ ସେହି କରିତ୍କର୍ମା ଯିଏ ଆଦାନୀଙ୍କ ହାତକୁ ଏଭଳି ଲୋଭନୀୟ ପ୍ରକଳ୍ପ ଟେକି ଦେବା ଲାଗି କୋଟି କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି? ଆମେରିକା କରିଥିବା ଅଭିଯୋଗରେ ଓଡ଼ିଶା ନାମ ଆସିବା ପରେ ପ୍ରାଶାସନିକ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି? ଯେଉଁ ସମୟ ବିଷୟରେ ଆମେରିକା ଉଲ୍ଲେଖ କରିଛି ସେହି ସମୟରେ ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି)ର ନବୀନ ପଟ୍ଟନାୟକଙ୍କ ସରକାର ଥିଲା। ସେହି ସମୟରେ ଶକ୍ତି ବିଭାଗରେ ଥିବା ବରିଷ୍ଠ ଅଧିକାରୀ ଏହି କାରବାରରେ ଲିପ୍ତ ଥିଲେ ନା ଶାସନ କଳକୁ ସମ୍ପୂର୍ଣ୍ଣ ନିଜ ଅକ୍ତିଆରକୁ ନେଇଯାଇଥିବା ବ୍ୟକ୍ତି ଜଣକଙ୍କ ସହ ଲାଞ୍ଚ କାରବାର ହୋଇଥିଲା? ପ୍ରକୃତରେ କିଏ ଲାଞ୍ଚ ନେଇଛି ତାଙ୍କୁ ଧରିବା ଲାଗି ଦାବି ହୋଇଛି। ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନଙ୍କ ଅଭିଯୋଗ ଅନୁସାରେ ଲାଞ୍ଚ କାରବାର ମାମଲାରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କାଶ୍ମୀର, ତାମିଲନାଡୁ ଓ ଛତିଶଗଡ଼ ନାମ ଉଲ୍ଲେଖ ରହିଛି। ୨୦୨୧ ଜୁଲାଇରୁ ୨୦୨୨ ଫେବ୍ରୁଆରି ମଧ୍ୟରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବିଦ୍ୟୁତ୍ ବଣ୍ଟନ କମ୍ପାନିଠାରୁ ବିଦ୍ୟୁତ୍ ଯୋଗାଣ କାମ ପାଇବା ଲାଗି ସରକାରୀ ଅଧିକାରୀମାନଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦିଆଯାଇଥିବା କମିସନ ଅଭିଯୋଗ କରିଛି। ପ୍ରତି ମେଗାୱାଟ୍ ପିଛା ଲାଞ୍ଚର ପରିମାଣ ଧାର୍ଯ୍ୟ କରାଯାଉଥିଲା। ଆଦାନୀଙ୍କ ପୁତୁରା ସାଗର ଆଦାନୀ ନିଜେ ଲାଞ୍ଚ କାରବାରର ବୁଝାଶୁଝା କରୁଥିଲେ। ୨୦୨୦ରୁ ୨୦୨୪ ଭିତରେ ସବୁ ଲାଞ୍ଚ କାରବାର ହୋଇଛି।