ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗରକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏହି କ୍ରମରେ ଗତ ସପ୍ତାହରେ ମେ' ୨୬ ତାରିଖରେ ଦୁଇ ଦେଶର ଲଢୁଆ ବିମାନ ମୁହାଁମୁହିଁ ହୋଇଥିଲେ। ଆମେରିକୀୟ ବିମାନଟି ଚୀନ ସୀମାର ଏତେ ନିକଟତର ହେବା ପରେ ଚୀନ ଚିନ୍ତିତ ହୋଇପଡ଼ିଛି ଓ ଏହାକୁ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଛି । ଅନ୍ୟପକ୍ଷରେ ଆମେରିକା କହିଛି ଯେ ସେମାନେ କୌଣସି ପ୍ରକାର ନିୟମ ଉଲ୍ଲଂଘନ କରିନାହାନ୍ତି। ତାଙ୍କ ଲଢୁଆ ବିମାନ ଚୀନ ସୀମା ବାହାରେ ଥିଲା। ସେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ ଉଡୁଥିଲେ।
ଏହି ଘଟଣାର ଏକ ଭିଡିଓ ବୁଧବାର ସକାଳେ ଆମେରିକୀୟ ସୁରକ୍ଷା ଏଜେନ୍ସି ଶେୟାର କରିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଦୁଇ ଦେଶର ଲଢୁଆ ବିମାନ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି । ଏହି ଭିଡିଓଟି ଆମେରିକୀୟ ଲଢୁଆ ବିମାନର କକପିଟରୁ ତିଆରି କରାଯାଇଛି । ୨୦୨୩ ମେ' ୨୬ ତାରିଖରେ ଆମେରିକୀୟ ବିମାନକୁ ଚାଇନାର ପିଆରସି ଜେ-୧୬ ପିଛା କରିଥିଲା। ସମସ୍ତ ଦେଶ ଅନ୍ତର୍ଜାତୀୟ ଆଇନ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ଅନୁଯାୟୀ ସେମାନଙ୍କ ଆକାଶପଥ ବ୍ୟବହାର କରିବେ ବୋଲି ଆମେ ଆଶା କରୁଛୁ ବୋଲି ଆମେରିକା କହିଛି ।
। ଏ ନେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ ଙ୍କୁ ପଚରାଯିବାରୁ ସେ କହିଛନ୍ତି, ଆମେରିକା ଦୀର୍ଘ ଦିନ ଧରି ଚୀନ୍ ସୀମା ଉପରେ ତୀକ୍ଷ୍ଣ ନଜର ରଖିଛି। ଏହା ଚୀନର ସାର୍ବଭୌମତ୍ୱ ଓ ନିରାପତ୍ତା ପାଇଁ କ୍ଷତିକାରକ। ଏଭଳି କାର୍ଯ୍ୟକଳାପ ସମୁଦ୍ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଆମେରିକା ତୁରନ୍ତ ଏହି ଉତ୍ତେଜନା ବନ୍ଦ କରିବା ଦରକାର।