ନ୍ୟୁୟର୍କ: ଟାଇଟାନିକ୍ ନିକଟରେ ଏକ ଭଗ୍ନାବଶେଷ ଠାବ କରିଛି ଆମେରିକା ତଟରକ୍ଷୀ ବାହିନୀ। ଏହା ନିଖୋଜ ଟାଇଟାନ୍ ସବମର୍ସିବୁଲର ( କ୍ଷୁଦ୍ର ବୁଡ଼ାଜାହାଜ) ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ। ଆମେରିକୀୟ ତଟରକ୍ଷୀ ବାହିନୀ କହିଛି ଯେ ଏକ ରିମୋଟ୍ ଅପରେଟେଡ୍ ଯାନ ବ୍ୟବହାର କରି ଏହି ଭଗ୍ନାବଶେଷ ଠାବ କରାଯାଇଛି। ଏହି ଅନୁସନ୍ଧାନରେ ନିୟୋଜିତ ଟିମ୍ ଭଗ୍ନାବଶେଷର ଅନୁସନ୍ଧାନ କରୁଛି। ଖୁବଶୀଘ୍ର ଏହି ଭଗ୍ନାବଶେଷ ସମ୍ପର୍କରେ ଅଧିକ ତଥ୍ୟ ଉପଲବ୍ଧ ହେବ।

Advertisment

ନିଖୋଜ ଟାଇଟାନ୍ ବୁଡ଼ାଜାହାଜକୁ ଖୋଜିବା ପାଇଁ ୯୬ ଘଣ୍ଟା ସମୟ ଲାଗିଛି ଏବଂ ବୁଡ଼ାଜାହାଜରେ ଅମ୍ଳଜାନ ଶେଷ ହୋଇଯାଇଥିବ ବୋଲି ଆଶଙ୍କା କରାଯାଉଛି । ଏହା ସହିତ ଯାତ୍ରୀମାନଙ୍କ ଜୀବନକୁ ନେଇ ଆଶଙ୍କା ବଢିଯାଇଛି ।

ଗତ ରବିବାର ଦିନ ଏହି ବୁଡ଼ାଜାହାଜ ଟି ଟାଇଟାନିକ୍ ର ଭଗ୍ନାବଶେଷ ଆଡ଼କୁ ଯାଉଥିବା ବେଳେ ନିଖୋଜ ହୋଇଯାଇଥିଲା। ଏହା ପର୍ଯ୍ୟଟକମାନଙ୍କୁ ଟାଇଟାନିକ୍କୁ ନେଇ ଯାଉଥିଲା ଏବଂ ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଅଦୃଶ୍ୟ ହୋଇଯାଇଥିଲା। ଦୁର୍ଘଟଣା ସମୟରେ ବୁଡ଼ାଜାହାଜରେ ୫ ଜଣ ଯାତ୍ରୀ ଥିଲେ। ଏହି ବୁଡ଼ାଜାହାଜରେ ଥିବା ୫ ଯାତ୍ରୀଙ୍କ ମଧ୍ୟରେ ପାକିସ୍ତାନୀ ବଂଶୋଦ୍ଭବ କୋଟିପତି ବ୍ୟବସାୟୀ ପ୍ରିନ୍ସ ଦାଉଦ ଏବଂ ତାଙ୍କ ପୁଅ ସୁଲେମାନ ଦାଉଦ ଅଛନ୍ତି।