ମୁମ୍ବାଇ: ‘ଦି ନିୟୁ ସ୍କୁଲ୍’ ସମେତ ବିଦେଶୀ ଛାତ୍ରଛାତ୍ରୀ ଗ୍ରହଣ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଦଳେ ଶିକ୍ଷାନୁଷ୍ଠାନ ଟ୍ରମ୍ପ୍ ପ୍ରଶାସନ ବିରୋଧରେ ମାମଲା ଦାଏର କରିଛନ୍ତି। ନିକଟରେ ଟ୍ରମ୍ପ୍ ପ୍ରଶାସନ ପରିବର୍ତ୍ତନ କରିଥିବା ନୀତିର ପ୍ରତିକୂଳ ପ୍ରଭାବ ଆନ୍ତର୍ଜାତିକ ଛାତ୍ରଛାତ୍ରୀଙ୍କ ଉପରେ ପଡୁଥିବା କଥା ସେମାନେ ଅଭିଯୋଗ କରିଛନ୍ତି। ଏହି ନୀତି ଯୋଗୁଁ ଦୋଷ ନ ଥାଇ ମଧ୍ୟ ଆନ୍ତର୍ଜାତିକ ଛାତ୍ରଛାତ୍ରୀମାନେ ୩ ରୁ ୧୦ ବର୍ଷ ଯାଏଁ ଆମେରିକାରେ ପ୍ରବେଶ କରି ପାରିବେ ନାହିଁ।
ଗତ ଅଗଷ୍ଟ ୯ ତାରିଖରୁ ୟୁଏସ୍ ସିଟିଜେନ୍ସିପ୍ ଆଣ୍ଡ୍ ଇମିଗ୍ରେସନ୍ ସର୍ଭିସେସ୍ ଦ୍ୱାରା ପ୍ରଣୟନ କରାଯାଇଥିବା ଏହି ପରିବର୍ତ୍ତନ ଅନୁସାରେ ମଞ୍ଜୁର ହୋଇଥିବା ସମୟ ଅବଧି ଶେଷ ହୋଇ ନ ଥିଲେ ମଧ୍ୟ ଆନ୍ତର୍ଜାତିକ ଛାତ୍ରଛାତ୍ରୀମାନେ ସେମାନଙ୍କର ‘ଷ୍ଟୁଡେଣ୍ଟ୍ସ୍ ଷ୍ଟାଟସ୍’ ହରାଇବାର ଦିନକ ପରେ ଆପଣାଛାଏଁ ‘ବେଆଇନ୍ ଉପସ୍ଥିତି’ ମାମଲାରେ ପଡ଼ିଯିବେ।
‘ଦି ନିୟୁ ସ୍କୁଲ୍’ର ଏଫ୍-ଓ୍ଵାନ୍ ଭିସାରେ ୩୬୦୦ ଛାତ୍ରଛାତ୍ରୀ ଏବଂ ଏଫ୍-ଓ୍ଵାନ୍ ଆଲୁମନିରେ ୯୦୦ ଛାତ୍ରଛାତ୍ରୀ ଇଚ୍ଛାଧୀନ ପ୍ରାକ୍ଟିକାଲ୍ ତାଲିମ୍ ଗ୍ରହଣ କରୁଛନ୍ତି। ଜେ ଭିସାରେ ପ୍ରାୟ ୧୦୦ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏକା ପ୍ରକାରର କେସ୍ ଷ୍ଟଡିଜ୍ ଦିଆଯାଇଛି।