ନ୍ୟୁୟର୍କ : ୯/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୮ ବର୍ଷ ପୂର୍ତ୍ତି ହୋଇଛି। ୯/୧୧ର ବର୍ଷପୂର୍ତ୍ତି‌ରେ ଆମେରିକା ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନେଇଛି। ଟିଟିପି (ତେହରିକ୍‌ ଏ ତାଲିବାନ୍‌) ପାକିସ୍ତାନ ସମେତ ୧୧ ଆତଙ୍କବାଦୀ ଗୋଷ୍ଠୀର ୨୫ ଆତଙ୍କବାଦୀଙ୍କ ବିରୋଧରେ ଆମେରିକା କଟକଣା ଜାରି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏନେଇ ଏକ ନୂତନ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ଟିଇଟିର ନୁର୍‌ ୱାଲି ତଥା ମୁଫ୍‌ତି ନୁର ୱାଲି ମେହସୁଦକୁ ଆମେରିକ ବିଦେଶ ବିଭାଗ ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷଣା କରାଯାଇଛି। ନୁର୍‌ ୱାଲି ସମେତ ସମୁଦାୟ ୧୩ ଜଣଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯାଇଥିବା ଜଣାପଡ଼ିଛି। ପୂର୍ବତନ ଟିଟିପି ନେତା ମୁଲା ଫଜଲୁଲ୍ଲାର ମୃତ୍ୟୁ ପରେ ନୁର୍‌ ୱାଲିକୁ ଜୁନ୍‌ ୨୦୧୮ରେ ଟିଟିପି ମୁଖ୍ୟ କରାଯାଇଥିଲା। ନୁର ୱାଲି ନେତୃତ୍ବରେ ଟିଟିପି ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲା।

Advertisment

ଟ୍ରମ୍ପ୍‌ଙ୍କ ଦ୍ବାରା ସ୍ବାକ୍ଷର ହୋଇଥିବା ନୂତନ ନିର୍ଦ୍ଦେଶନାମା ବଳରେ ଆମେରିକୀୟ ସଂସ୍ଥାଗୁଡ଼ିକ ବିଶ୍ବସ୍ତରରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଚିହ୍ନଟ କରିବା ସହ ଆତଙ୍କବାଦୀଙ୍କ ବିରୋଧରେ କଟକଣା ଜାରି କରିବେ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ଦିଗରେ କେତେକ କଠୋର ପଦକ୍ଷେପ ନେଇପାରିବେ। ସେହିପରି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଅନୁଷ୍ଠାନ ଉପରେ ମଧ୍ୟ କଟକଣା ଜାରି କରିବା ପାଇଁ ବ୍ୟବସ୍ଥା ହୋଇଛି। କଟକଣା ଜାରି ହୋଇଥିବା ଆତଙ୍କବାଦୀ ସଂଗଠନ ଏବଂ ଆତଙ୍କବାଦୀମାନେ ଆମେରିକାରେ କୌଣସି ପ୍ରକାର ଆର୍ଥିକ କାରବାରରେ ସମ୍ପୃକ୍ତ ହୋଇପାରିବେ ନାହିଁ। ଆମେରିକୀୟ ନାଗରିକଙ୍କୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଏବଂ ଅନୁ‌ଷ୍ଠାନ ସହ କୌଣସି ପ୍ରକାର ଆର୍ଥିକ କାରବାରରୁ ଦୂରେଇ ରହିବାକୁ ସତର୍କ କରାଇ ଦିଆଯାଇଛି।