ଗର୍ଭପାତ ଅଧିକାର ରଦ୍ଦ ହେବା ପରେ ମହିଳା କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଆଗଭର ହେଲେ ଆମେରିକୀୟ କମ୍ପାନି

ୱାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାରେ ଗର୍ଭପାତ ଅଧିକାର ନିଷେଧ କରାଯିବା ପରେ ଗର୍ଭପାତ କରିବା ଲାଗି ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ମହିଳା କର୍ମଚାରୀମାନଙ୍କର ଖର୍ଚ୍ଚ ବହନ କରିବା ଲାଗି ‘ୱାଲଟ୍‌ ଡିଜ୍‌ନି’ ଏବଂ ‘ଫେସ୍‌ବୁକ୍‌’ର ମୂଳ କମ୍ପାନି ‘ମେଟା ପ୍ଲାଟ୍‌ଫର୍ମ’ ସମେତ ଆମେରିକୀୟ କମ୍ପାନିମାନେ ଶୁକ୍ରବାର ଦିନ କହିଛନ୍ତି।

‘ରୋ ଭର୍ସେସ୍‌ ୱେଡ୍‌’ ମାମଲାର ରାୟକୁ ରଦ୍ଦ କରି ଶୁକ୍ରବାର ଦିନ ଆମେରିକାର ସୁପ୍ରିମ୍‌ ‌କୋର୍ଟ ଦେଶରେ ଗର୍ଭପାତ ଅଧିକାରକୁ ନିଷିଦ୍ଧ ଘୋଷଣା କରିଛନ୍ତି। ‘ରୋ ଭର୍ସେସ୍‌ ୱେଡ୍‌’ ମାମଲାରେ ୧୯୭୩ ମସିହାରେ ଆମେରିକାର ସୁପ୍ରିମ୍‌ କ‌ୋର୍ଟ ଗର୍ଭପାତକୁ ମହିଳାଙ୍କ ସାମ୍ବିଧାନିକ ଅଧିକାର ଭାବେ ସ୍ବୀକୃତି ଦେଇଥିଲେ। ଶୁକ୍ରବାର ଦିନ ଉକ୍ତ ରାୟକୁ ରଦ୍ଦ କରାଯିବା ପରେ ଗର୍ଭପାତକୁ ସୀମିତ ଅଥବା ନି‌ଷିଦ୍ଧ କରାଇବାକୁ ଚାହୁଁଥିବା ‘ରିପବ୍ଲିକାନ୍‌’ ଏବଂ ଧାର୍ମିକ ରକ୍ଷଣଶୀଳମାନଙ୍କର ବିଜୟ ହୋଇଛି। ଆମେରିକାର କେତେକ ରାଜ୍ୟ ଗର୍ଭପାତକୁ ଅପରାଧିକ କାର୍ଯ୍ୟ ବୋଲି ଘୋଷଣା କରି ଅଧିକ କଟକଣା ଲାଗୁ କରିବେ ବୋଲି ଜଣାପଡ଼ିଛି।

Image Courtesy of NDTV

ଫଳରେ, ଗର୍ଭପାତ କରାଇବା ପାଇଁ ଚାହୁଁଥିବା ମହିଳା କର୍ମଚାରୀମାନଙ୍କୁ ଗର୍ଭପାତ କରାଯାଉଥିବା ରାଷ୍ଟ୍ର ବା ପ୍ରଦେଶକୁ ଯିବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ବ୍ୟାପକ ଅର୍ଥ ବ୍ୟୟ କରିବାକୁ ପଡ଼ିବ।

ଏଥିପ୍ରତି ଦୃଷ୍ଟି ଦେଇ ଶୁକ୍ରବାର ଦିନ ‘ଡିଜ୍‌ନି’ ତା’ର କର୍ମଚାରୀମାନଙ୍କୁ କହିଛି ଯେ, ଗର୍ଭପାତ ସମେତ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ କମ୍ପାନି ବ୍ୟୟଭାର ବହନ କରିବ। ସେହିପରି, ଦେଶ ବାହାରକୁ ଯାଇ ଗର୍ଭପାତ କରିବା ବାବଦକୁ ଯାହା ଖର୍ଚ୍ଚ ହୋଇଥିବା ତାହା କମ୍ପାନି ଭରଣା କରିବ ବୋଲି ‘ଫେସ୍‌ବୁକ୍‌’ ସତ୍ବାଧିକାରୀ ‘ମେଟା’ କହିଛି। ସେହିପରି, ‘ଡିକ୍ସ୍‌ ସ୍ପୋର୍ଟିଙ୍ଗ୍‌ ଗୁଡ୍ସ୍‌’, ‘ଲାଇଫ୍ଟ’, ‘ଆଲାସ୍କା ଏୟାର୍‌ ଗ୍ରୁପ୍‌’, ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ ‘ଓକେକୁପିଡ୍‌’, ‘ବମ୍ବଲ୍’, ‘ନେଟ୍‌ଫ୍ଲିକ୍ସ୍‌’ ‘ଜେପି ମୋର୍ଗାନ୍‌ ଚେସ୍‌ ଆଣ୍ଡ୍‌ କୋ’ ଆଦି କମ୍ପାନିମାନେ ମହିଳା କର୍ମଚାରୀଙ୍କ ଗର୍ଭପାତ ବ୍ୟୟ ବହନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର